ନବ ଦାସ ହତ୍ୟା ମାମଲା; ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ଗୋପାଳ

ସ୍ବର୍ଗତ ନବକିଶୋର ଦାସଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିଲା ଗୋପାଳକୃଷ୍ଣ ଦାସ। ହତ୍ୟା ପାଇଁ ଗୋପାଳ ପୂର୍ବରୁ ଟିକିନିକି ପ୍ଲାନିଂ କରିଥିଲା । ହତ୍ୟା ବେଳେ ଗୋପାଳର ମାନସିକ ଅବସ୍ଥା ସ୍ବାଭାବିକ ଥିଲା । ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ଯୋଗୁଁ ସେ ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି।
ଏପରିକି ନବକିଶୋର ଦାସ ଓ ତାଙ୍କ ସମର୍ଥକଙ୍କଠାରୁ ଜୀବନ ପ୍ରତି ଭୟ ଥିବା ଗୋପାଳ ଅନୁଭବ କରୁଥିଲା । ତେଣୁ ସେ ସୁସ୍ଥ ମସ୍ତିଷ୍କରେ ନବକିଶୋର ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସେହିପରି ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିଲା ଗୋପାଳ। ତା’ର ପରିବାର ଲୋକେ ଗୋପାଳ ବାଇପୋଲାର ଡିଜଅର୍ଡରରେ ପୀଡ଼ିତ ଥିବା ନେଇ ଅଭିଯୋଗ କରିବା ପରେ ଡିଏମଇଟିଙ୍କ ଦ୍ବାରା ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା । ତେବେ ଯାଞ୍ଚରୁ ଗୋପାଳଠାରେ ସେପରି କୌଣସି ମାନସିକ ରୋଗ ନଥିବା ଜଣାପଡ଼ିଥିଲା।
ଏହାପରେ ଗୋପାଳର ସହକର୍ମୀ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତା’ର ମାନସିକ ସ୍ଥିତି ସ୍ବାଭାବିକ ଥିବା ଜଣାପଡିଥିଲା। ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ସ୍ବାଭାବିକ ଭାବେ ଉତ୍ତର ଦେଇଥିଲା। ତେଣୁ ଗୋପାଳର ମାନସିକ ସ୍ଥିତି ସ୍ବାଭାବିକ ଥିବା ତଦନ୍ତ ବେଳେ ଜଣାପଡିଛି।
ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଯୋଗଦେବା ପାଇଁ ଯାଉଥିବା ବେଳେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ନବକିଶୋର ଦାସ l ଏହାପରେ କ୍ରାଇମବ୍ରାଞ୍ଚର ପ୍ରାୟ ୧୦ଟି ତଦନ୍ତକାରୀ ଟିମ୍ ଝାରସୁଗୁଡ଼ା, ଭୁବନେଶ୍ବର, ବ୍ରହ୍ମପୁର ସହ ରାଜ୍ୟ ବାହାରେ ମଧ୍ୟ ହତ୍ୟାର ବିଭିନ୍ନ ସମ୍ଭାବ୍ୟ ଦିଗ ନେଇ ତଦନ୍ତ କରିଥିଲା। ଅପରାଧକୁ ବୈଜ୍ଞାନିକ ଧାରାରେ ପ୍ରମାଣିତ କରିବା ପାଇଁ ରାଜ୍ୟ ବାହାରୁ ମଧ୍ୟ ବିଶେଷଜ୍ଞଙ୍କ ସହଯୋଗ ନିଆଯାଇଥିଲା। କ୍ରାଇମସ୍ପଟରେ ରେକର୍ଡିଂ ପାଇଁ ଫାରୋ କ୍ୟାମେରା ବ୍ୟବହାର କରାଯାଇଥିଲା । ଏଲଭିଏ, ପଲିଗ୍ରାଫ, ନାର୍କୋ ଟେଷ୍ଟ ମାଧ୍ୟମରେ ଅଭିଯୁକ୍ତର ବୟାନର ସତ୍ୟତା ନେଇ ଯାଞ୍ଚ କରାଯାଇଥିଲା ।
ନବକିଶୋର ଦାସଙ୍କୁ ହତ୍ୟା ଏବଂ ବ୍ରଜରାଜନଗର ଆଇଆଇସି ପିକେ ସ୍ବାଇଁ ଓ ଜୀବନ କୁମାର ନାୟକଙ୍କୁ ହତ୍ୟା ଉଦ୍ୟମ ନେଇ ଗୋପାଳ ବିରୋଧରେ ଝାରସୁଗୁଡ଼ା JMFC କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ଆଇପିସି ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ଚାର୍ଜସିଟ ଦାଖଲ ହୋଇଛି। ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୫୪୩ ପୃଷ୍ଠାର ପ୍ରିଲିମିନେରୀ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଅଧିକାରୀଙ୍କ ସମେତ ୮୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ୫୪୩ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ।