ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ କଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ ବୋଲି ମତ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟରେ ନିଯୁକ୍ତି କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ରାଜ୍ୟରେ ବିଭିନ୍ନ କମିଶନ ଓ ବିଭାଗ ଦ୍ବାରା ପ୍ରତି ମାସରେ ହଜାର ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ କହିଥିଲେ। ଆନୁସାଙ୍ଗିକ କ୍ଷେତ୍ରରେ ବିକାଶ ଯୋଗୁ ଗ୍ରାମାଞ୍ଚଳରେ ଅଧିକ ଆର୍ଥିକ ଅଭିବୃଦ୍ଧି ଘଟୁଛି ବୋଲି ସେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ନବନିଯୁକ୍ତ କର୍ମଚାରୀ ଓ ଅଧିକାରୀ – ସହକାରୀ ପ୍ରାଣୀ ଚିକିତ୍ସକ ଡଃ ରିଷି ନନ୍ଦ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଶୁଭଶ୍ରୀ ସୌଭାଗ୍ୟଲକ୍ଷ୍ମୀ ବାରିକ ଓ ପ୍ରାଣୀଧନ ନିରୀକ୍ଷକ ସନ୍ତୋଷ କୁମାର ସାହୁ ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଯୁବସମାଜକୁ ଭରସା ଦେଇଛି ବୋଲି ପ୍ରକାଶ କରିଥିଲେ। ରାଜ୍ୟର ରୂପାନ୍ତରର ଯୁଗକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସେମାନେ ସ୍ବଚ୍ଛତାର ସହ ଉତ୍ସର୍ଗୀକୃତ ଭାବରେ କାମ କରିବେ ବୋଲି କହିଥିଲେ ।
ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମତ ବିନିମୟ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରାମର୍ଶ ଦେଇ କହିଲେ ଯେ ସେମାନେ ଯେଭଳି ଏକ ସ୍ବଚ୍ଛ ପ୍ରକ୍ରିୟାରେ ନିଯୁକ୍ତି ପାଇ ନିଜର ଦକ୍ଷତାର ପରିଚୟ ଦେଇପାରିଛନ୍ତି, ସେହିଭଳି ଚାକିରୀ କ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ବଜାୟ ରଖି ରାଜ୍ୟବାସୀଙ୍କ ସେବା କରିବା ଜରୁରୀ। ରାଜ୍ୟରେ ପ୍ରାଣୀଜ ସଂପଦ ବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି ଏବଂ ଚାଷୀମାନଙ୍କ ରୋଜଗାର ଦୁଇ ଗୁଣ ବୃଦ୍ଧି ପାଇଁ ପ୍ରାଣୀସଂପଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପ୍ରାଣୀ ଚିକିତ୍ସକ ପଦବୀକୁ ଗ୍ରୁପ-ବି ରୁ ଗ୍ରୁପ-ଏ କରିଛନ୍ତି। ଏକ୍ଷେତ୍ର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଚାଷୀମାନଙ୍କ ରୋଜଗାର ୩ ଗୁଣ କରିବା ପାଇଁ ବିଭାଗର ସମସ୍ତ କର୍ମଚାରୀ ୫-ଟି ଉପକ୍ରମ ଅନୁସରଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା ଉପସ୍ଥିତ ଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଶାସନ ସଚିବ ଏସ.କେ ବଶିଷ୍ଟ ସ୍ବାଗତ ଭାଷଣ ଦେଇଥିଲେ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।