ସବୁ ସ୍କୁଲକୁ ବିଜୁଳି ବାଧ୍ୟତାମୂଳକ : ମାର୍ଚ୍ଚ ସୁଦ୍ଧା ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାନୁଆରୀରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲାଯିବାର ସମ୍ଭାବନା ରହିଛି। ତେବେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ସହ ସ୍କୁଲସ୍ତରରେ ଯେପରି ଶିକ୍ଷାପଯୋଗୀ ପରିବେଶ ପାଇବେ ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ଲାଗି ସ୍କୁଲ ବନ୍ଦ ରହିଥିବାରୁ ଅନଲାଇନ୍ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ରାଜ୍ୟର ଅନେକ ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଘରେ ପିଲାଙ୍କୁ ଅନଲାଇନ୍ ରେ ଶିକ୍ଷାଦାନ କରୁଥିଲେ। ଏହାବ୍ୟତୀତ ଆସନ୍ତାବର୍ଷ ପିଲାଙ୍କୁ କୋର୍ସ ସାରିବାକୁ ଅତିରିକ୍ତ ପାଠପଢ଼ା ହେବ। ଏହାବ୍ୟତୀତ ପରୀକ୍ଷା ମଧ୍ୟ ବିଳମ୍ବ ହେବ।

ଏପ୍ରିଲ କିମ୍ବା ମେ’ରେ ମାଟ୍ରିକ, +୨ ପରୀକ୍ଷା ସହ ଅନ୍ୟାନ୍ୟ ପରିକ୍ଷା ହେବ ବୋଲି ଏକ ପ୍ରକାର ନିଷ୍ପତ୍ତି ରହିଛି। ତେଣୁ ଗ୍ରୀଷ୍ମ ପ୍ରବାହକୁ ନଜର ଦେଇ ସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ସବୁ ବିଦ୍ୟାଳୟଗୁଡିକରେ ବିଦ୍ୟୁତ ସଂଯୋଗ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୫୮ହଜାର ୮୯ଟି ଥିବା ବେଳେ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି। ସେଥିରୁ ୩୭ହଜାର ୬୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ଜିଲ୍ଲାୱାରୀ ରିପୋର୍ଟ ଅନୁଯାୟୀ, ଅନୁଗୁଳ ଜିଲ୍ଲାରେ ୧୦୫୩ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୩୩୬ଟି, ବରଗଡ଼ରେ ୧୧୩୬ଟି, ଭଦ୍ରକରେ ୯୧୭ଟି, ବଲାଙ୍ଗିରରେ ୧୭୩୬ଟି, ବୌଦ୍ଧରେ ୪୬୯, କଟକରେ ୧୨୮୦, ଦେଓଗଡ଼ରେ ୩୯୮, ଢ଼େଙ୍କାନାଳରେ ୧୦୩୧ଟି, ଗଜପତିରେ ୯୫୭, ଗଞ୍ଜାମରେ ୧୮୦୦, ଜଗତସିଂପୁରରେ ୫୭୯, ଯାଜପୁରରେ ୧୪୩୮, ଝାରସୁଗୁଡାରେ ୪୦୧, କଳାହାଣ୍ଡିରେ ୧୯୪୩, କନ୍ଧମାଳରେ ୧୫୧୯, କେନ୍ଦ୍ରାପଡ଼ାରେ ୧୦୮୧, କେନ୍ଦୁଝରରେ ୧୯୮୯, ଖୋର୍ଦ୍ଧାରେ ୭୮୨, କୋରାପୁଟରେ ୨୧୬୬, ମାଲକାନଗିରିରେ ୯୬୫, ମୟୁରଭଞ୍ଜରେ ୩୨୧୧, ନବରଙ୍ଗପୁରରେ ୧୬୦୨, ନୟାଗଡ଼ରେ ୬୬୨, ନୂଆପଡ଼ାରେ ୭୭୫, ପୁରୀରେ ୧୩୫୮, ରାୟଗଡାରେ ୧୫୭୩, ସମ୍ବଲପୁରରେ ୯୬୯, ସୋନପୁରରେ ୬୭୪, ସୁନ୍ଦରଗଡ଼ରେ ୧୮୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ।
ଅପରପକ୍ଷେ କିଛି ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ, ରାଜ୍ୟର ଅନେକ ସ୍କୁଲର ବିଦ୍ୟୁତ ବିଲ ପୈଠ କରାଯାଇନଥିବାରୁ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଛି । ସ୍କୁଲରେ ଯେଉଁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହେଉଛି ତାହାର ବିଲ ପୈଠ ଲାଗି ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଅନେକ ସମୟରେ ସ୍କୁଲର ବିକାଶ ଲାଗି ଯେଉଁ ଅର୍ଥ ମିଳିଥାଏ ସେଥିରେ ବିଦ୍ୟୁତ ବିଲ୍ ପୈଠ କରାଯାଇଥାଏ। ବିଦ୍ୟୁତ ବିଲ ପୈଠ ଲାଗି ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ନଥିବାରୁ ଅନେକ ସ୍କୁଲରେ ବହୁ ଟଙ୍କା ବକେୟା ରହିଛି।

Leave A Reply

Your email address will not be published.