ହାଫ୍ ପ୍ୟାଣ୍ଟ ପିନ୍ଧିଲେ ବ୍ୟାଙ୍କରେ ଏଣ୍ଟ୍ରି ମନା

ହାଫ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେନି ବ୍ୟାଙ୍କ। ହାଫ୍ ପ୍ୟାଣ୍ଟ ପିନ୍ଧିଲେ ବ୍ୟାଙ୍କରେ ଏଣ୍ଟ୍ରି ମନା। ଏଭଳି କିଛି ଅଜବଗଜବ ପ୍ରତିବନ୍ଧକ ଲଗାଇଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର କାନାରା ବ୍ୟାଙ୍କ।
ରିପୋର୍ଟ ଅନୁଯାୟୀ, କାନାରା ବ୍ୟାଙ୍କର ଏକ ଶାଖା ଜିଲ୍ଲାର କିଶାନପୁର ବାହାଲ ଗାଁରେ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ବ୍ୟାଙ୍କର ଗେଟ୍ ବାହାରେ ଏକ ନୋଟିସ୍ ଲଗାଯାଇଛି। ଏଥିରେ ହାଫ୍ ପ୍ୟାଣ୍ଟ ପିନ୍ଧିଥିବା ଗ୍ରାହକ ବ୍ୟାଙ୍କ ଭିତରକୁ ପ୍ରବେଶ ମନା ବୋଲି ଉଲ୍ଲେଖ ରହିଛି। ଏହି ନୋଟିସ ଜାରି ହେବା ପରେ ସୁରକ୍ଷାକର୍ମୀ ଯେଉଁ ଗ୍ରାହକମାନେ ହାଫ୍ ପ୍ୟାଣ୍ଟ ପିନ୍ଧି ବ୍ୟାଙ୍କକୁ ଆସିଥିଲେ ସେମାନଙ୍କୁ ଫେରାଇ ଦେଇଥିବା ଜଣାପଡିଛି।
କିଶାନପୁର ବ୍ୟତୀତ ନିକଟସ୍ଥ ଅନେକ ଗାଁର ଏକାଧିକ ଆକାଉଣ୍ଟଧାରୀ କାନାରା ବ୍ୟାଙ୍କର ଏହି ଶାଖା ସହ ଜଡିତ। ଏହି ସମୟରେ, କାରବାର ପାଇଁ ବ୍ୟାଙ୍କକୁ ଆସିଥିବା ଅନେକ ଗ୍ରାହକ ହାଫ୍ ପ୍ୟାଣ୍ଟ ପିନ୍ଧି ଆସନ୍ତି। ଏହାକୁ ନେଇ ବ୍ୟାଙ୍କର ମହିଳା କର୍ମଚାରୀମାନେ ବିରୋଧ କରିଥିଲେ। ମହିଳା କର୍ମଚାରୀମାନେ ଗ୍ରାହକଙ୍କୁ ଅନେକ ହାଫ୍ ପ୍ୟାଣ୍ଟ ପିନ୍ଧି ବ୍ୟାଙ୍କ ଆସିବା ମନା କରିଥିଲେ, କିନ୍ତୁ କୌଣସି ପ୍ରଭାବ ପଡି ନଥିଲା। ତେବେ ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ କାନାରା ବ୍ୟାଙ୍କର ମ୍ୟାନେଜର ଶାଖାର ମୁଖ୍ୟ ଫାଟକରେ ଏଭଳି ଏକ ନୋଟିସ ଲଗାଇଛନ୍ତି।