ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ୧୦୬ କୋଟି ୩୨ ଲକ୍ଷ ଟଙ୍କା ବୃହତ ଜଳ ଯୋଗାଣ ପ୍ରକଳ୍ପ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକର ୨୧ଟି ପଞ୍ଚାୟତକୁ ପାଇପ ମାଧ୍ୟମରେ ବୃହତ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି ।

ଏହି ପ୍ରକଳ୍ପରେ ବ୍ରହ୍ମଗିରି ବ୍ଲକର ୧୧ ଟି ଏବଂ ପୁରୀ ସଦରର ୧୦ଟି ପଞ୍ଚାୟତର ୮୯ଟି ରାଜସ୍ବ ଗ୍ରାମ ସାମିଲ ହେବେ । ଏଥିରେ ୨୩ ହଜାର ୧୩୬ ପରିବାରର ଏକ ଲକ୍ଷ ୫୭ ହଜାର ୨୭୪ ଜଣ ଲୋକ ଉପକୃତ ହେବେ । ଆସନ୍ତା ୩୫ ବର୍ଷକୁ ଦୃଷ୍ଟିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବେ । ଉକ୍ତ ପ୍ରକଳ୍ପର ମୂଲ୍ୟ ୧୦୬ କୋଟି ୩୨ ଲକ୍ଷ ଟଙ୍କା ରହିଛି ଓ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହାର ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଶେଷ ହେବ ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ । ଭାର୍ଗବୀ ନଦୀରୁ ଜଳ ଯୋଗାଣ କରାଯିବ ଏବଂ ମାଳତୀପାଟପୁର ଠାରେ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ବର୍ମା ସୂଚନା ଦେଇଛନ୍ତି । ଏଥିପାଇଁ ୫ ଏକର ଜମିର ଆବଶ୍ୟକତା ରହିଛି ଓ ଜମି ଚିହ୍ନଟ ପ୍ରକ୍ରିୟା ଚୂଡାନ୍ତ କରିବାକୁ ଶ୍ରୀ ବର୍ମା ସ୍ଥାନୀୟ ତହସିଲଦାରଙ୍କୁ ପରାମର୍ଶ ଦେଇଛନ୍ତି ।

ଏଥିସହ ପ୍ରତି ପଞ୍ଚାୟତରେ ଓଭର ହେଡ ଟାଙ୍କି ପ୍ରତିଷ୍ଠା କରାଯିବ । ଏଥିନିମନ୍ତେ ଯାଗା ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚ ମାନଙ୍କୁ କୁହାଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳଯୋଗାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଅଜୟ କୁମାର ବିଶ୍ବାଳ, ଜିଲ୍ଲା ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବସନ୍ତ କୁମାର ନାୟକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.