୪ ମହଲା କୋଠା ଭୁଶୁଡ଼ି ୧୨ମୃତ, ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଆଜି ଦିନ ପ୍ରାୟ ୧୧.୪୫ରେ ଘଟିଛି ।

ସୂଚନା ଅନୁଯାୟୀ, ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଥିବା ୧୦୦ ବର୍ଷ ପୁରୁଣା କେସରବାଈ ବିଲଡିଂଟି ଭୁଶୁଡ଼ି ଯାଇଛି । ଏହି ବିଲଡିଂରେ ୧୫ଟି ପରିବାରର ସଦସ୍ୟମାନେ ରହୁଥିଲେ । ପ୍ରବଳ ବର୍ଷା ଯୋଗୁଁ କୋଠା ଭୁଶୁଡ଼ି ପଡିଥିବା କୁହାଯାଉଛି । କୋଠା ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ୭ରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେ ମଧ୍ୟ୍ୟ ଧ୍ୱଂସାବଶେଷ ତଳେ ୪୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ସେମାନଙ୍କୁ ସ୍ଥାନୀୟ ପୁଲିସ୍‌ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି ।

ଅପରପକ୍ଷରେ ମହାରାଷ୍ଟ୍ର ହାଉସିଂ ବୋର୍ଡ ମୁଖ୍ୟ ଉଦୟମ ସାମନ୍ତ ଏହି ଘଟଣା ପାଇଁ ଏହାକୁ ନିର୍ମାଣ କରିଥିବା ବିଲଡରକୁ ଦାୟୀ କରିଛନ୍ତି । ଶ୍ରୀ ସାମନ୍ତଙ୍କ କହିବା ମୁତାବକ, “୨୦୧୨ରେ ଡୋଙ୍ଗ୍ରୀରେ ଥିବା ଏହି ବିଲଡିଂର ମରାମତି କରିବାକୁ ବିଲଡରଙ୍କୁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଏହାର ତଦାରଖ କରିନଥିଲେ । ଏହି ଦୁର୍ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.