କେନ୍ଦ୍ରାପଡ଼ାରେ ଗୁଳିମାଡ଼ ଘଟଣା, ଆଜି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ

0

ଓଡିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ପାଳନ କରାଯାଇଛି । ଫଳରେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସେହିପରି ମହାକାଳପଡ଼ା ବ୍ଲକ ଅଧୀନ ଜମ୍ବୁ ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ମହାକାଳପଡ଼ା ଛକଠାରେ ବଜରଙ୍ଗ ଦଳ ପକ୍ଷରୁ ରାସ୍ତାରୋକୋ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଦଳ ପକ୍ଷରୁ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବାରୁ ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ଉପୁଜିଛି । କାହ୍ନୁ ଚରଣ ପରିଡାଙ୍କ ନେତୃତ୍ୱରେ ବହୁ ବଜରଙ୍ଗ କର୍ମୀ ଯୋଗ ଦେଇଛନ୍ତି । ରାଜନଗରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସହରର ଦଣ୍ଡାମୁଣ୍ଡ ଛକଠାରେ ଧର୍ମରକ୍ଷା ସେନାର ଜିଲା ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ୨ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଏହି ଘଟଣାକୁ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି । ଏହାକୁ ବିରୋଧ କରି ଧର୍ମରକ୍ଷା ସେନା, ବଜରଙ୍ଗ ଦଳ, ଜିଲା ବଣିକ ସଂଘ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ଜିଲା ବନ୍ଦ ଡାକରା ଦିଆଯାଇଛି । ଏ ନେଇ ଏସ୍‌ପି ନୀତି ଶେଖର କହିଛନ୍ତି, ତଦନ୍ତ ଚାଲିଥିବାରୁ ଏହି ବନ୍ଦ ଡାକରାକୁ ସ୍ଥଗିତ କରିବାକୁ ଆହ୍ବାନ କରାଯାଇଥିଲା। ତେବେ ବନ୍ଦ ସତ୍ତ୍ୱେ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.