ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ଏକ ଅନଲାଇନ ଠକେଇ ରାକେଟକୁ ଠାବ କରିବା ସହ ଉକ୍ତ ଗ୍ୟାଙ୍ଗର ୧୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪୦ଟି ଏଟିଏମ କାର୍ଡ, ୨ଟି ବ୍ୟାଙ୍କ ପାସବୁକ୍, ୨୪ଟି ସ୍ମାର୍ଟ ଫୋନ, ୧୨ଟି ଫିଚର ଫୋନ, ୧୨ଟି ସିମକାର୍ଡ, ୧୪ଟି ଜାଲ୍ ଷ୍ଟାମ୍ପ, ୨ କିଲୋ ନକଲି ସ୍ୱର୍ଣ୍ଣମୁଦ୍ରା, ଗୋଟିଏ ଲ୍ୟାପଟପ୍, ୨ଟି କଲର ପ୍ରିଣ୍ଟର, ୨୫୦୦ ସ୍କ୍ରାଚକାର୍ଡ, ୧୭୦୦ ଲଫାପା, ୧୦ କିଲୋ ଓଜନର ପାମ୍ପଲେଟ୍, ଏକାଧିକ ଡାଏରୀ, ୩ଟି ବାଇକ୍ ଜବତ କରାଯାଇଛି। ଗିରଫ ୧୬ ଜଣଙ୍କ ମଧ୍ୟରୁ ୮ ଜଣ କର୍ଣ୍ଣାଟକ ବାସିନ୍ଦା ହୋଇଥିବାବେଳେ କୋଲକାତାର ଜଣେ ଓ ବିହାର ଅନ୍ତର୍ଗତ ଗୟାର ୫ ଜଣ ଓ ନୱାଡାର ୨ ଜଣ ସାମିଲ ଅଛନ୍ତି। ଏହି ରାକେଟର ମୁଖ୍ୟ କୁହାଯାଉଥିବା ରୋଶନ କୁମାର ଫେରାର ଥିବା କୁହାଯାଇଛି। ରୋଶନ ଜଣେ ଇଂଜିନିୟରିଂ (ବି.ଟେକ୍) ଛାତ୍ର ଥିଲେ ସୁଦ୍ଧା ଅଧାରୁ ପାଠଛାଡି ଏହି ଧନ୍ଦାରେ ମୁଣ୍ଡ ଖେଳାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।
ବେଙ୍ଗାଲୁରୁରୁ ଆସିଥିବା ୮ଜଣ ସାଇବର ଠକେଇ ସଂକ୍ରାନ୍ତ ତାଲିମ ନେବାକୁ ଏହି ଗ୍ୟାଙ୍ଗରେ ସାମିଲ ହୋଇଛନ୍ତି ବୋଲି ଗୟା ଏସଏସପି ଆଦିତ୍ୟ କୁମାର କହିଛନ୍ତି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଆମାଜନ, ଫ୍ଲିପକାର୍ଟ, ନାପତୋଲ୍ ଓ ସପକ୍ଲୁଜ୍ ଭଳି ଅନଲାଇନ ମାର୍କେଟିଂ କମ୍ପାନୀରୁ ସାମଗ୍ରୀ କିଣାକିଣି କରୁଥିବା ଗ୍ରାହକଙ୍କ ମୋବାଇଲ ନମ୍ବର ଓ ଘର ଠିକଣା ସଂଗ୍ରହ କରିବା ସହ ସେମାନଙ୍କୁ ଯୋଗାଯୋଗ କରିଥାନ୍ତି। କଥାବାର୍ତ୍ତା ସମୟରେ ସେମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ବ୍ୟକ୍ତିଙ୍କ ଠିକଣାରେ ପ୍ରଥମେ ସ୍କ୍ରାଚ୍କାର୍ଡ, ନକଲି ସ୍ୱର୍ଣ୍ଣମୁଦ୍ରା ଇତ୍ୟାଦି ପଠାଇଥାନ୍ତି। ପରବର୍ତ୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ କିମ୍ବା ଏଟିଏମ୍ ସଂକ୍ରାନ୍ତ ଆବଶ୍ୟକ ବିବରଣୀ ହାସଲ କରିବାପରେ ଠକେଇ କାର୍ଯ୍ୟରେ ମାତିଯାଇଥାନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତମାନେ ଦୋଷ ସ୍ୱୀକାର କରିଥିବାବେଳେ ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଧାରା ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।