କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ, ବଳଦେବଜୀଉ ମନ୍ଦିର ପାଇଁ ୨କୋଟିର ପ୍ରକଳ୍ପ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଗସ୍ତ କରି ସହରର ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ସ୍ନାନ ମଣ୍ଡପରେ ବିଜେ କରି ସୁଗନ୍ଧ ଜଳରେ ସ୍ନାନ କରିଥିଲେ । ଏହାପରେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀଜୀଉଙ୍କ ଏହି ଗଜବଦନ ବେଶ ଦେଖିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଳଦେବଜୀଉ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ସ୍ଥିତିର ଉନ୍ନତି ଲାଗି ୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଠାକୁରଙ୍କ ଝୁଲଣ ମଣ୍ଡପ ପୁନରୁଦ୍ଧାର, ସାଆନ୍ତ ସାହିଠାରେ ବଳଦେବଜୀଉଙ୍କ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିରର ଉତ୍ତର ପାର୍ଶ୍ୱରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ, ଗଭୀର ନଳକୂପ ବସାଇବା ସହ ୨୪ ଘଣ୍ଟିଆ ଜଳଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆଲୋଚନା ହେଉଛି । ଆଗକୁ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ଥିବା ବେଳେ ବିଜେପି ହେଭିଓ୍ବେଟ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ଫଳରେ ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ସକାଶେ ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରାପଡ଼ା ଆସୁଛନ୍ତି ବୋଲି ଆଲୋଚନା ହେଉଛି।

ଏ ପର୍ଯ୍ୟନ୍ତ ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ସମସ୍ତେ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ବିଜୟ ସମର୍ଥକଙ୍କ ସହ ଗାଁ ଗାଁ ବୁଲି ଭୋଟ ପାଇଁ ନିବେଦନ କରୁଥିବା ବେଳେ ବିଜୟଙ୍କୁ ହରାଇବା ପାଇଁ ବିଜେଡିର ତୁଙ୍ଗନେତାମାନେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିବା ଦେଖାଯାଉଛି ।

Leave A Reply

Your email address will not be published.