ଦୁଇଶହ ଟଙ୍କା ପାଇଁ ଚାଲିଗଲା ଦୁଇ ଭାଇଙ୍କ ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାତ୍ର ୨ଶହ ଟଙ୍କାପାଇଁ ଗଲା ୨ଭାଇଙ୍କ ଜୀବନ । ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାରସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଭାଇ ଭାଇ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ସୋମବାର ସକାଳୁ ଦୁଇ ଭାଇ ନଣ୍ଡା ମାଙ୍କେଡିଆ (୫୦) ଓ ରସି ମାଙ୍କେଡିଆ (୪୬) କାମ କରିବାକୁ ଯାଇଥିଲେ । ପରେ ମାଲିକ ମଜୁରୀ ଟଙ୍କା ଦେବାବେଳେ ଖୁଚୁରା ନଥିବାରୁ ବଡ଼ଭାଇ ପାଇବାକୁ ଥିବା ଅବଶିଷ୍ଟ ୨ଶହ ଟଙ୍କା ପ୍ରାପ୍ୟକୁ ସାନଭାଇକୁ ଦେଇଥିଲେ । ପରେ ସନ୍ଧ୍ୟାରେ ଘରକୁ ଫେରିବା ପରେ ବଡ଼ଭାଇ ସାନ ଭାଇକୁ ଟଙ୍କା ମାଗିଥିଲେ । ହେଲେ ସାନ ଭାଇ ନିଶାସକ୍ତ ଅବସ୍ଥାରେ ଥିବାବେଳେ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଇଠୁ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।ସାନଭାଇ ରସି ହଠାତ୍‌ ଘରୁ ଏକ ଟାଙ୍ଗିଆ ଆଣି ବଡଭାଇ ନଣ୍ଡା ଉପରେ ଆକ୍ରମଣ କରିଥିଲା । ନଣ୍ଡା ମଧ୍ୟ ସେହି ଟାଙ୍ଗିଆ ଛଡାଇ ସାନଭାଇ ରସି ଉପରେ ଆକ୍ରମଣ କରିଥିଲା । ଫଳରେ ଉଭୟେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ବଡଭାଇ ନଣ୍ଡାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସା ସମୟରେ ସାନଭାଇ ରସିର ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.