ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ୨ ଓଡ଼ିଆ ମନୋନୀତ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ୨ ଜଣ ଓଡ଼ିଆ ସାହିତ୍ୟକାରଙ୍କୁ ମନୋନୀତ କରାଯାଇଛି। ସେମାନେ ହେଉଛନ୍ତି ଡ. ନରେନ୍ଦ୍ର ପ୍ରସାଦ ଦାସ ଏବଂ ଦିଲ୍ଲୀପ ବେହେରା ।
ଡ. ଦାସଙ୍କୁ ଶବ୍ଦ ପ୍ରଦୂଷଣ ଉପରେ ଲିଖିତ ପୁସ୍ତକ ‘କୋଳାହଳ ନା ହଳାହଳ’ ପାଇଁ ଏବଂ ଦିଲ୍ଲୀପ ବେହେରାଙ୍କୁ ‘ଲଣ୍ଠନ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ତାଲିକାରେ ଉଲ୍ଲେଖ ଅଛି।
ଡ. ଦାସଙ୍କୁ ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର-୨୦୨୨ ମିଳିବାକୁ ଥିବା ବେଳେ ଦିଲ୍ଲୀପ ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର- ୨୦୨୨ ପାଇବେ ।
ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, “କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ବାଳ ସାହିତ୍ଯ ପୁରସ୍କାର ପାଇବାକୁ ମନୋନୀତ ନରେନ୍ଦ୍ର ପ୍ରସାଦ ଦାସ ଓ ଯୁବ ପୁରସ୍କାର ପାଇବାକୁ ମନୋନୀତ ଦିଲ୍ଲୀପ ବେହେରାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ଉଭୟଙ୍କର ଆହୁରି ସଫଳତା କାମନା କରୁଛି।”