ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ଯୁବକ ମୃତ ଓ ୨ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, କଣିହାଁ ବ୍ଲକ ସମଲ ଥାନା ବୁରୁକୁନା ପଞ୍ଚାୟତର ନାଇକାନାଳୀ ଗାଁ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ହିଁ ୩ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇ ତାଳଚେର ମଣ୍ଡାପାଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

ରାଉରକେଲା ଅଞ୍ଚଳର ୫ଜଣ ଯୁବକ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଓଡ଼ି ୧୪ଏଚ – ୩୪୫୩ ନମ୍ବର କାରରେ ଖୋର୍ଧା ଜଙ୍କିଆ ଅଞ୍ଚଳକୁ ଯାଇଥିଲେ । ସେଠାରୁ ବିବାହ କାର୍ଯ୍ୟ ସାରି ରାଉରକେଲାକୁ ଫେରିବାବେଳେ ଆଜି ଭୋର ୫ଟା ରେ ନାଇକାନାଳୀ ଗାଁ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛି । ଖବର ପାଇ ସ୍ଥାନୀୟ ଜନସାଧାରଣ ଓ ସମଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତକଙ୍କ ଶବକୁ ଉଦ୍ଧାର କରିବା ସହ ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣା ପଡ଼ି ନଥିବାର ଜଣାପଡିଛି ।

Leave A Reply

Your email address will not be published.