ନାର୍କୋଟିକ ବିଭାଗର ୩ଜଣ ସିବିଆଇ ଦ୍ୱାରା ଗିରଫ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ନାର୍କୋଟିକ ବିଭାଗର ୩ ଜଣଙ୍କୁ ସିବିଆଇ ଗିରଫ କରିଛି । ଗୁଇନ୍ଦା ଅଧିକାରୀ ଜ୍ଞାନପ୍ରକାଶ, ସତୀଶ କୁମାର ଓ କନଷ୍ଟେବଲ ଏଏସ କୁଜରି । ୩ଜଣଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରି ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ ଜଜଙ୍କ ବାସଭବନରେ ହାଜର କରାଯାଇଥିଲା ।

ସେମାନଙ୍କୁ ୪ଦିନ ରିମାଣ୍ଡରେ ନେଇ ସିବିଆଇ ପଚରାଉଚରା ଚଳାଇଛି ।
ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୨୬ ତାରିଖରେ ପଟିଆ ଅଞ୍ଚଳରେ ୱାସିମ ଆକ୍ରମ ନାମକ ଜଣେ ଯୁବକଙ୍କୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା ।

ତାଙ୍କ ପାଖରୁ ନାର୍କୋଟିକ ଅଧିକାରୀମାନେ ୨୫ କିଲୋ ଗଞ୍ଜେଇ ଜବତ କରିଥିଲେ । ୱାସିମର ଟେଲିଫୋନ ନମ୍ବରକୁ ଯାଞ୍ଚ କରିବା ବେଳେ ଚନ୍ଦନ ଓଝା ନାମକ ଅନ୍ୟ ଜଣେ ଯୁବକଙ୍କ ସହିତ ସେ ବାରମ୍ବାର କଥାବାର୍ତ୍ତା ହୋଇଥିବା ଜଣାପଡିଥିଲା ।
ଗଞ୍ଜେଇ ବ୍ୟବସାୟୀ ୱାସିମ ଓ ଚନ୍ଦନ ଦୁହେଁ ବନ୍ଧୁ ବୋଲି ଜଣାପଡିବା ପରେ ତାକୁ ଗଞ୍ଜେଇ କାରବାରରେ ଗିରଫ କରିବା ଲାଗି ନାର୍କୋଟିକ ଅଧିକାରୀମାନେ ଧମକ ଦେଇଥିଲେ ।

ଏପରିକି ୩ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ତାକୁ ଛାଡି ଦେବେ ବୋଲି କହିଥିଲେ । ମିଛ ମାମଲାରେ ତାକୁ ଫସାଇ ଦେବା ଲାଗି ବାରମ୍ବାର ଧମକ ଦେଉଥିଲେ। ସବୁଠାରୁ ବଡ କଥାହେଲା ନାର୍କୋଟିକ ବ୍ୟୁରୋର ଜ୍ଞାନ ପ୍ରକାଶ ଓ ସତୀଶ ତାଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ। ଏନେଇ ଚନ୍ଦନ ସିବିଆଇ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲା ।

ଯୋଜନା ମୁତାବକ ଚନ୍ଦନ ନାର୍କୋଟିକ ବ୍ୟୁରୋ ଅଧିକାରୀଙ୍କୁ ୧ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିଲା । ନାର୍କୋଟିକ ବ୍ୟୁରୋର ପୁରୁଣା ଅଫିସ ତଥା ତମାଣ୍ଡୋ ଥାନା କଳିଙ୍ଗବିହାର ଅଞ୍ଚଳରେ ଗୁରୁବାର ରାତିରେ ଚନ୍ଦନଙ୍କଠାରୁ ନାର୍କୋଟିକ ବ୍ୟୁରୋର ଦୁଇଜଣ କର୍ମଚାରୀ ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ତୁରନ୍ତ ଘଟଣାସ୍ଥଳରୁ ପଳାଇଥିଲେ । ଚନ୍ଦନ ପରେ ଦୁଇ ଅଫିସରଙ୍କୁ କଥା ହେବା ଲାଗି ତମାଣ୍ଡୋ ଥାନା ନିକଟକୁ ଡକାଇଥିଲେ ।

ନାର୍କୋଟିକ ବ୍ୟୁରୋ ଗୁଇନ୍ଦା ଅଧିକାରୀ ସେଠାରେ ପହଞ୍ଚିବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ସେଠାରେ କିଛି ସମୟ ଲାଗି ସିବିଆଇ ଅଧିକାରୀ ଓ ନାର୍କୋଟିକ ବ୍ୟୁରୋ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ସିବିଆଇ ସେମାନଙ୍କୁ ଗିରଫ କରିଥିଲା । ଗିରଫ ପରେ ଅଧିକ ତଥ୍ୟ ହାସଲ ଲାଗି ସିବିଅଆଇ ସେମାନଙ୍କୁ ୫ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ୪ଦିନ ରିମାଣ୍ଡ ଅନୁମତି ଦେଇଥିଲେ । ସିବିଆଇ ସେମାନଙ୍କୁ ହେପାଜତକୁ ନେଇ ଜେରା କରୁଛି ।

Leave A Reply

Your email address will not be published.