ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଆ ପୋଲିସ ଅଧକାରୀଙ୍କୁ କରାଯିବ ସମ୍ମାନିତ

0

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତରେ ଉତ୍କର୍ଷତା ପାଇଁ ସ୍ଵାଧୀନତା ଦିବସ ଅବସରରେ ଦେଶର ୧୫୧ ଜଣ ପୋଲିସ ଅଧକାରୀଙ୍କୁ ପଦକ ପ୍ରଦାନ କରାଯିବ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ସର୍ବଭାରତୀୟ ସ୍ତରରେ ପଦକ ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ରହିଛନ୍ତି।

ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୪ ଜଣ ପୋଲିସ୍ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସପି ଏବଂ ୩ ଜଣ ସବ୍ ଇନ୍ସପେକ୍ଟର ରହିଛନ୍ତି। ଏମାନେ ହେଲେ ଡିଏସପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଇନ୍ସପେକ୍ଟର ଅନୁସୂୟା ଜେନା ଏବଂ ଇନ୍ସପେକ୍ଟର ରମେଶ ପ୍ରଧାନ।

ସର୍ବଭାରତୀୟ ସ୍ତରରେ ପଦକ ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ୨୮ଜଣ ମହିଳା ଅଧିକାରୀ ରହିଛନ୍ତି। ଚଳିତ ବର୍ଷ ସ୍ଵାଧୀନତା ଦିବସ ଅବସରରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ(ସିବିଆଇ)ର ସର୍ବାଧିକ ୧୫ଜଣ ଅଧିକାରୀଙ୍କୁ ଏହି ପଦକ ପ୍ରଦାନ କରାଯିବ। ଏହା ସହିତ ମହାରାଷ୍ଟ୍ରର ୧୧ଜଣ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ୧୦ ଜଣ ଲେଖାଏଁ ପୋଲିସ ଅଧିକାରୀ, କେରଳ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରୁ ୮ ଜଣ ଲେଖାଏଁ ଅଧକାରୀ ପଦକ ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି।

ସେହିପରି ବିହାରର ୭ଜଣ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୋଲିସର ୬ ଜଣ ଲେଖାଏଁ ଅଧିକାରୀ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା ପୋଲିସ, ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ୫ ଜଣ ଲେଖାଏଁ ଅଧିକାରୀ ପଦକ ପାଇବେ। ଏହା ସହିତ ଆସାମ ଓ ହରିୟାଣାର ୪ଜଣ ଲେଖାଏଁ ପୋଲିସ ଅଧିକାର ପଦକ ପାଇବା ପାଇଁ ମନୋନୀତ ହୋଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

SOA post below
Leave a comment