ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନର ଖାଇବର ପଖ୍ତୁନ୍ଖ୍ୱା ପ୍ରଦେଶରେ କିଛି ଦିନ ପୂର୍ବେ ଏକ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରାଯାଇଥିବା ଘଟଣାରେ ସ୍ଥାନୀୟ ପୁଲିସ ରବିବାର ଆଉ ୪୫ ଜଣଙ୍କୁ ଗିରଫ କରିଛି। ଫଳରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ଏକ ଶହକୁ ବୃଦ୍ଧି ପାଇଛି। ଅଭିଯୁକ୍ତଙ୍କୁ ଆତଙ୍କବାଦ ନିରୋଧ ଅଦାଲତରେ ହାଜର କରାଯାଇଥିଲା। ଉକ୍ତ ମନ୍ଦିରର ଆଧୁନିକୀକରଣ ନିମନ୍ତେ ପ୍ରଶାସନିକ ଅନୁମତି ମିଳିବାପରେ ଏକ ମୌଳବାଦୀ ସଂଗଠନ ‘ଜାମିଆତ୍-ଇ-ଇସଲାମ’ର ଶତାଧିକ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମନ୍ଦିରକୁ ଭାଙ୍ଗିବାପରେ ସେଥିରେ ନିଆଁ ଲଗାଇଦେଇଥିଲେ। ଭାରତର ତୀବ୍ର ପ୍ରତିବାଦ ପରେ ଖାଇବର ପ୍ଖତୁନଖ୍ୱା ପ୍ରଦେଶର ମୁଖ୍ୟମନ୍ତ୍ରୀ ମେହମୁଦ ଖାନ୍ ଖୁବଶୀଘ୍ର ମନ୍ଦିରର ପୁନଃନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।