୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ ୫ଜଣ

0

ଉତ୍ତର ପ୍ରଦେଶର ମୋରଦାବାଦରେ ଭୟାବହ ଅଗ୍ନିକାଣ୍ଡ। ଏକ ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ। ସୂଚନା ମୁତାବକ, ହଠାତ୍‌ ବିଲଡିଂରେ ନିଆଁ ଲାଗି ଯାଇଥିଲା। ନିମିଷକ ଭିତର ଦେଖୁ ଦେଖୁ ପୂରା ବିଲଡିଂକୁ ବ୍ଯାପି ଯାଇଥିଲା।

ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଉଦ୍ଯମ କରିଥିଲେ। ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛନ୍ତି। ଏହା ସହିତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

SOA post below
Leave a comment