ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ଜଣଙ୍କ ସମେତ ୬ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ଭୋରରୁ ଏକ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ଏକ କାର୍‌ ଓ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣଙ୍କଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଭବାନୀପାଟଣା ଖୁର୍ସେଲଗୁଡ଼ାର ବିଶିଷ୍ଟ ପ୍ରବଚକ ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ ବେହେରା, ପୁଅ ବିକି, ଦୁଇ ନାତୁଣୀ ଓ ତାଙ୍କ ଘରୋଇ ସହାୟିକା । ଆଶୁତୋଷଙ୍କ ବୋହୂଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁଯାୟୀ, ଆଶୁତୋଷ ଓ ତାଙ୍କ ପରିବାର ଲୋକେ ପରିବାରର କୋୖଣସି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସୋମବାର ବିଶାଖାପାଟଣା ଯାଇଥିଲେ । ମଙ୍ଗଳବାର ରାତିରେ ସେମାନେ ଟ୍ରେନ୍‌ ଯୋଗେ ସେଠାରୁ ଫେରିଥିଲେ । ବିଳମ୍ବିତ ରାତିରେ ସେମାନେ କେସିଙ୍ଗା ଷ୍ଟେସନ୍‌ରେ ପହଞ୍ଚି ନିଜ କାର୍‌ରେ ଘରକୁ ଫେରୁଥିଲେ । ଏହି ସମୟରେ ଜାରିଙ୍ଗ ଜଙ୍ଗଲ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ତାଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଆଶୁତୋଷ ଓ ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କ ପୁଅ, ଦୁଇ ନାତୁଣୀ ଓ ସହାୟିକାଙ୍କର ମୃତ୍ୟୁ ଘଟିଛି । ତେବେ ଆଶୁତୋଷଙ୍କ ବୋହୂ ଏବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.