ବାଲିଯାତ୍ରା ଜଗିବ ୫୦ ସିସି କ୍ୟାମେରା

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଚଳିତବର୍ଷ କଟକ ବାଲିଯାତ୍ରାରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସୂଚନା ଅନୁସାରେ, ବାଲିଯାତ୍ରା ପାଇଁ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହ ପଡ଼ିଆ ମଧ୍ୟରେ ୫୦ ସିସିଟିଭି କ୍ୟାମେରା ଲାଗିବ । ଉପର ଓ ତଳ ପଡ଼ିଆରେ ଦୁଇଟି ପୋଲିସ୍‌ ଏଡ୍‌ପୋଷ୍ଟ ରହିବ । ପୋଲିସ ସୂଚନା ଓ ସିସିଟିଭି ଫୁଟେଜ ଆଧାରରେ ପ୍ରତିଟି ଘଟଣା ଉପରେ ନଜର ରଖିବା ପାଇଁ ଦୁଇଟି କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ଭିଡ଼ ନିୟନ୍ତ୍ରଣ ସହ ଦଳାଚକଟା ଓ ଅପରାଧ ଏଡାଇବାକୁ ଉପର ପଡିଆରୁ ତଳ ପଡିଆକୁ ଆସିବା ପାଇଁ ଏଥର ୩ଟି ରାସ୍ତା କରାଯାଇଛି । ଦୁଇଟି ସ୍ପେଶାଲ ସ୍କ୍ବାଡ୍‌ ସାଦା ପୋଷାକରେ ରହି ଅସାମାଜିକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବ । ସେହିଭଳି ଦୁଇ ପଡ଼ିଆରେ ୩ଟି ଓ୍ବାଚ୍‌ ଟାଓ୍ବାର କରାଯାଇଥିବା ବେଳେ ଓ ନଦୀକୂଳ ଅଞ୍ଚଳରେ ଗୋଟିଏ କରାଯାଇଛି ।
ଅନ୍ୟପକ୍ଷରେ ବାଲିଯାତ୍ରାରେ ବାହାର ରାଜ୍ୟର ଯାଯାବର ଶ୍ରେଣୀର ମହିଳା, ପୁରୁଷ ଓ ଛୋଟପିଲା ଲୁଟପାଟ କରନ୍ତି । ତେଣୁ ଏମାନଙ୍କ ଉପରେ କଡ଼ା ନଜର ରଖିବାକୁ କମିଶନରେଟ ପୋଲିସ କଟକ ଜିଆରପି ଏବଂ ଆର୍‌ପିଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା କ୍ଷେତ୍ରରେ ୨୫୦ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ ବୋଲି ଡିସିପି ସିଂ କହିଛନ୍ତି ।

Leave A Reply

Your email address will not be published.