ଟେଣ୍ଡର କରାଇବାକୁ କହି ଡେପୁଟି ଚିଫ ଇଞ୍ଜିନିୟର ଠକି ନେଲେ ୫୦ଲକ୍ଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରେଳବାଇର ଡେପୁଟି ଚିଫ ଇଞ୍ଜିନିୟର, କନଷ୍ଟ୍ରକସ ବିଭାଗର ପ୍ରଶାନ୍ତ କୁମାର ବାଘ ରେଲୱେରେ ୩କୋଟି ଟଙ୍କାର ଟେଣ୍ଡର କରାଇଦେବାକୁ କହି ଜଣେ ଠିକାଦାର ଠାରୁ ଠକି ନେଲେ ୫୦ଲକ୍ଷ ଟଙ୍କା । ଠିକାଦାର ଚିତ୍ରସେନ ବାଘ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ରେଲୱେର ଭିତ୍ତିଭୂମି ଓ ଟ୍ରାକ କାମ ପାଇଁ ୩କୋଟି ଟଙ୍କାର ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି ଟେଣ୍ଡରକୁ ଠିକାଦାର ଚିତ୍ରସେନଙ୍କ ନାମରେ ଦେବାକୁ ରେଲୱେ କନଷ୍ଟ୍ରକସନ ବିଭାଗର ଡେପୁଟି ଚିଫ ଇଞ୍ଜିନିୟର ପ୍ରଶାନ୍ତ କୁମାର ବାଘ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଥିଲା । ଟେଣ୍ଡର ପାସ କରିବା ଲାଗି ପ୍ରଶାନ୍ତ, ଚିତ୍ରସେନଙ୍କୁ ୫୦ଲକ୍ଷ ଟଙ୍କା ମାଗିଥିଲେ । କାମ ଆଶାରେ ଚିତ୍ରସେନ ତାଙ୍କୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ମାତ୍ର ଟେଣ୍ଡର ବାହାରିବା ପରେ ଏହା ଅନ୍ୟ ଜଣକୁ ପ୍ରଦାନ କରାଯାଇଥିଲା ।

ଠିକାଦାର ଚିତ୍ରସେନ ଟେଣ୍ଡର ନପାଇବାରୁ ଡେପୁଟି ଚିଫ ଇଞ୍ଜିନିୟରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରଶାନ୍ତ ଚିତ୍ରସେନଙ୍କ ଠାରୁ ଦୂରତ୍ୱ ରଖିବାକୁ ଚେଷ୍ଟା କରିଥିଲେ । ଟେଣ୍ଡର ନପାଇବାରୁ ଚିତ୍ରସେନ ଟଙ୍କା ଫେରସ୍ତ କରିବାକୁ ପ୍ରଶାନ୍ତଙ୍କ କହିଥିଲେ । ହେଲେ ସେ ଟଙ୍କା ଫେରାଇବା ପରିବର୍ତ୍ତେ ଓଲଟା ତାଙ୍କୁ ଧମକଚମକ ଦେଇଥିଲେ । ଶେଷରେ ନିରାଶ ହୋଇ ଚିତ୍ରସେନ ଥାନାରେ ଏତଲା କରିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ସହ ଚିଫ ଇଞ୍ଜିନିୟର ପ୍ରଶାନ୍ତଙ୍କୁ ହେପାଜତକୁ ନେଇ ଜେରା କରୁଛି । ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।

ଅପରପକ୍ଷରେ ଡେପୁଟି ଚିଫ ଇଞ୍ଜିନିୟରଙ୍କ ବିରୋଧରେ ଅଭିଯୋଗ କରିଥିବା ଠିକାଦାର ଚିତ୍ରସେନ ବାଘଙ୍କୁ ହତ୍ୟା ଧମକ ମିଳୁଛି । ଏତଲା ନ ଉଠାଇଲେ ଜୀବନରୁ ମାରିଦେବାକୁ ସନ୍ଦିପ ଖୁଂଟିଆ ନାମକ ଜଣେ ଯୁବକ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତିି । ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି । ତଦନ୍ତ ବେଳେ ହତ୍ୟା ଧମକ ଦେଉଥିବା ସନ୍ଦୀପ ଅଭିଯୁକ୍ତ ପ୍ରଶାନ୍ତର ଶଳା ବୋଲି ଜଣାପଡିଛି ।

Leave A Reply

Your email address will not be published.