କ୍ୱାଟର୍ସ ସଜେଇବା ପାଇଁ ୭୦ ଲକ୍ଷ ଖର୍ଚ୍ଚ ମହଙ୍ଗା ପଡିଲା, ରଶ୍ମିତାଙ୍କ ସମେତ ବଦଳିଲେ ୩ ଜିଲାପାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ଼ ଜିଲାପାଳ ରଶ୍ମିତା ପଣ୍ଡା ନିଜ ସରକାରୀ କ୍ୱାର୍ଟର୍ସ ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଆରଟିଆଇ ରିପୋର୍ଟରୁ ଜଣାପଡିବା ପରେ ରଶ୍ମିତାଙ୍କ ସମେତ ୫ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି । ରଶ୍ମିତାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ନିଯୁକ୍ତି ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ)ଭାବେ କାର୍ଯ୍ୟ କରୁଥିବା ୨୦୦୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । ସେହିପରି ଢେଙ୍କାନାଳ ଜିଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ସୁନ୍ଦରଗଡ ଜିଲାପାଳଭାବେ ବଦଳି କରାଯାଇଛି । ୨୦୧୩ ବ୍ୟାଚ୍‌ର ମୋନିଶା ବାନାର୍ଜୀଙ୍କୁ ସୁବର୍ଣ୍ଣପୁର ଜିଲାପାଳଭାବେ ବଦଳି କରାଯାଇଛି । ମୋନିଶା ବର୍ତ୍ତମାନ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଓଏଏସ୍‌ ଅଫିସର ତଥା ସୁନ୍ଦରଗଡ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲାପାଳଭାବେ ନୂତନ ନିଯୁକ୍ତି ଦିଆଯାଇଛି ।

ସୂଚନା ଅନୁଯାୟୀ, ରଶ୍ମିତା ରାଉରକେଲାର ଉଦିତନଗରସ୍ଥିତ ନିଜ ସରକାରୀ କ୍ୱାର୍ଟର୍ସ(୪ଆର/୧)ର ମରାମତି ପାଇଁ ମାତ୍ର ୬ମାସ ମଧ୍ୟରେ ୧୬ଟି ପର୍ଯ୍ୟାୟରେ ୬୮ଲକ୍ଷ ୫୭ହଜାର ୯୫୦ ଟଙ୍କା ଖର୍ଚ୍ଚ କରିଛନ୍ତି । ତାହାପୁଣି ଏହି ସରକାରୀ ବାସଭବନ ଚାରିପଟେ ମଶାରୀ ଲଗାଯିବା, ରଙ୍ଗବେରଙ୍ଗ ଲାଇଟ୍ ଓ ଘର ମରାମତି ନାଁରେ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ଏହି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା । ଏହାପରେ ରଶ୍ମିତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚର୍ଚ୍ଚା ହେଉଥିଲା ବେଳେ ତାଙ୍କୁ ଜିଲାପାଳ ପଦବୀରୁ ଅପସାରଣ କରାଯାଇ ରାଜ୍ୟ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି । 

Leave A Reply

Your email address will not be published.