ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଜପତି ଜିଲ୍ଲା କାଶୀନଗର ଶିଶୁ ଅପହରଣ ଘଟଣାର ୮ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ଏ ସମ୍ପର୍କରେ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ କାଶୀନଗର ଏନ୍ଏସି ଅଞ୍ଚଳର ଜାମି ଗୋପୀଙ୍କ ୭ ବର୍ଷର ପୁଅକୁ ଗତ ଡିସେମ୍ବର ୧୬ ତାରିଖ ସନ୍ଧ୍ୟାରେ ଅପହରଣ କରାଯାଇଥିଲା। ପ୍ରାୟ ୪୦ ଘଣ୍ଟା ପରେ ପିଲାଟିକୁ ତା’ର ମଉସା କଇଠ ପଦର ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଗୃହରୁ ଉଦ୍ଧାର କରିଥିଲେ। ସେହି ଅର୍ଦ୍ଧ ନିର୍ମିତ ଗୃହଟି ଜାମି ଗୋପୀଙ୍କର ହିଁ ଥିଲା। ଥାନାରେ ଅପହଣ ଅଭିଯୋଗ ହେବାପରେ କାଶୀନଗର ଆଇଆଇସି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇଥିଲା। ପୁଲିସ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଆସାମୀମାନଙ୍କୁ ଗିରଫ କରିବାରେ ସଫଳ ହୋଇ ନଥିଲେ। ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି।
ଗିରଫ ଅଭିଯୁକ୍ତମାନେ ହେଲେ କାରିମି ଚୈତନ୍ୟ (୧୯) ଗୁନାପୁ କଲ୍ୟାଣ କୁମାର, ପ୍ରଶାନ୍ତ ଲିମା (୨୬) ବିନୋଦ ଲିମା (୨୨), ରବି ମାଛ (୨୨) ଜାକୋବ୍ ମିଶାଲ(୧୯), ପୂର୍ଣ୍ଣଚନ୍ଦ୍ର ସୌରା (୨୦) ଓ ୧୬ ବର୍ଷ ବୟସର ନାବାଳକ। କାରିମି ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ଗ୍ଲାମର ଗାଡି, ଗୋଟିଏ ଷ୍ଟ୍ରେସ ରିଲିଫ ରୋଲ୍ ଓ ଗୋଟିଏ ଡିପ୍ ସ୍ଲିପ୍ ରୋଲ୍-ଅନ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ମୋଟ ୭ଟି ମୋବାଇଲ, ଗୋଟିଏ ବାଇକ୍ ଓ ଗୋଟିଏ କାର୍ ଜବତ ହୋଇଛି। ଅର୍ଥ ପାଇଁ ଶିଶୁ ପୁତ୍ରଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ଶିଶୁଟିକୁ ଛାଡ଼ିବା ପାଇଁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଶେଷରେ ୭ ଲକ୍ଷ ୫୦ ହଜାର ଟଙ୍କାରେ ସେମାନେ ରାଜିହୋଇ ଶିଶୁଟିକୁ ଛାଡ଼ିଥିଲେ। ଏହି ଟଙ୍କା ଦିଆନିଆ ହରିପୁରସ୍ଥିତ ଏକ ଜଙ୍ଗଲରେ ହୋଇଥିଲା। ଟଙ୍କା ପାଇବା ପରେ ଅଭିଯୁକ୍ତମାନେ ଶିଶୁଟିକୁ ସେହି ଅର୍ଦ୍ଧ ନିର୍ମିତ ଘରେ ଛାଡ଼ିଦେଇ ପଳାଇଥିଲେ। ପୁଲିସ ଅଭିଯୁକ୍ତମାନଙ୍କଠାରୁ ୨ ଲକ୍ଷ ୨୧ ହଜାର ଟଙ୍କା ଜବତ କରିଛି। ଅବଶିଷ୍ଟ ଟଙ୍କାରୁ ସେମାନେ କିଛି ଟଙ୍କା ଖର୍ଚ୍ଚ କରି ଏକ ପୁରୁଣା ଇଣ୍ଡିଗୋ କାର କିଣିଥିଲେ ବୋଲି ସ୍ୱୀକାର କରିଛନ୍ତି। ଏହି କାରକୁ ମଧ୍ୟ ପୁଲିସ ଜବତ କରିଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ସୀତାରାମ ଶତପଥୀ, ଏସ୍ଡିପିଓ ରାମକୃଷ୍ଣ ପତି, ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ, କାଶୀନଗର ଆଇଆଇସି ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
