ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଜଣଙ୍କ ନାମରେ ଅପରାଧିକ ମାମଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ଥିବା ୨୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୯୧ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୭୩ଜଣଙ୍କ ନାମରେ ସଙ୍ଗିନ ଅପରାଧିକ ମାମଲା ଥିବା ସୋମବାର ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଥିବା ବେଳେ ଓଡ଼ିଶା ଇଲେକ୍ସନ ୱାଚ୍ ପକ୍ଷରୁ ଏହି ରିପୋର୍ଟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ୧୮ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ଲୋକସଭା ସମୋତ ୩୫ବିଧାନସଭା ଆସନରେ ମତଦାନ ହେବ । ମୋଟ ୨୭୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଲୋକସଭା ପ୍ରାର୍ଥୀଙ୍କ ନାମରେ ଫୌଜଦାରୀ ମାମଲା ରହିଥିବାବେଳେ ୫ଜଣଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ରହିଥିବା ଉଲ୍ଲେଖ ରହିଛି । ଏମାନଙ୍କ ମଧ୍ୟରେ କଂଗ୍ରେସର ଦୁଇଜଣ ହୋଇଥବା ବେଳେ ବିଜେପି, ଏଆଇଏଫବି, ସିପିଆଇର ଜଣେ ଲେଖାଏଁ ଓ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି । ସେହିଭଳି ବିଧାନସଭା ଆସନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୮୪ଜଣଙ୍କ ନାମରେ ଫୌଜଦାରୀ ମାମଲା ରହିଥିବା ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୬୮ଜଣଙ୍କ ନାମରେ ସଙ୍ଗିନ ଅପରାଧିକ ମାମଲା ରହିଛି । ଫୌଜଦାରୀ ମାମଲା ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପି ଓ ବିଜେଡିର ସର୍ବାଧିକ ୩୫ଜଣଙ୍କ ଥିବାବେଳେ କଂଗ୍ରେସର ୩୨ଜଣ ଓ ବିଏସପିର ୪ଜଣ ଅଛନ୍ତି । ଉଭୟ ଫୌଜଦାରୀ ଓ ସଙ୍ଗିନ ମାମଲା ଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ବିଜେପି ଆଗରେ ରହିଛି । ଏହା ପଛକୁ କଂଗ୍ରେସ, ବିଜେଡି ଓ ଅନ୍ୟଦଳର ପ୍ରାର୍ଥୀମାନେ ଥିବା ଏଡିଆର୍ ରିପୋର୍ଟରୁ ଜଣାପଡ଼ିଛି ।

ସେହିଭଳି ୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୧୧ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ, ୧୨୧ଜଣଙ୍କ ଯୋଗ୍ୟତା ସ୍ନାତକ ଓ ତା’ଠାରୁ ଅଧିକ ଥିବା ବେଳେ ୪ଜଣ ପ୍ରାର୍ଥୀ କେବଳ ଅକ୍ଷର ଚିହ୍ନିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଓ ଜଣେ ପ୍ରାର୍ଥୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିନାହାନ୍ତି ବୋଲି ଏଡିଆର୍ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.