ପାର୍ସଲ ବୋମାର ନାଟ୍ୟ ରୂପାନ୍ତର କରିବ କ୍ରାଇମବ୍ରାଞ୍ଚ

0

 ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ପୁଣି ଥରେ ରିମାଣ୍ଡରେ ନେଇଛି। ୮ଦିନ ରିମାଣ୍ଡରେ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ କୋର୍ଟ ୫ଦିନ ଅନୁମତି ଦେଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲକୁ ନେଇ ଘଟଣାସ୍ଥଳକୁ ଯିବ। ବୋମା ପ୍ରସ୍ତୁତି ଠାରୁ ଆରମ୍ଭ କରି ପାର୍ସଲ ପଠାଇବା ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ନେଇ ତଥ୍ୟ ପ୍ରମାଣ ଯୋଗାଡ଼ କରିବ। ଏ ସମସ୍ତ ଘଟଣାର ଭିଡ଼ିଓ ଗ୍ରାଫି କରାଯିବ। ଏଥି ସହିତ ଘଟଣାର ନାଟ୍ୟ ରୂପାନ୍ତର କରାଯିବ। ସେହିପରି ପୁଞ୍ଜିଲାଲକୁ ରାୟପୁର ନିଆଯାଇ କୋରିୟର ସଂସ୍ଥା ଦ୍ୱାରା ଚିହ୍ନଟ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ସେହିପରି ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ସବୁ ପ୍ଲାନ ଏକୁଟିଆ କରିଥିବାରୁ ଜେରା ବେଳେ ପୋଲିସ କୁ ଭୁଆଁ ବୁଲାଉଛି। ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେବାପାଇଁ କେହିନାହାନ୍ତି । ତେଣୁ ସେ ମିଛ କହି ଖସିଯିବାକୁ ଉଦ୍ୟମ କରୁଛି। ଯାହାକି କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ ଚ୍ୟାଲେଞ୍ଜ ର ବିଷୟ ହୋଇଛି। କେହି ସାକ୍ଷୀ ନଥିବାରୁ କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ ପ୍ରମାଣ ଉପରେ ଗୁରୁତ୍ୱ ଦେଉଛି । ପୁଞ୍ଜିଲାଲ ନିଜର ତୀକ୍ଷ୍ଣ ବୁଦ୍ଧି ଖଟାଇ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ପାରିନ୍ତି ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ ପ୍ରକାଶ କରୁଛି ।

ସାଇଣ୍ଟିଫିକ ପ୍ରମାଣ ପାଇଁ କ୍ରାଇମବ୍ରାଞ୍ଚ ରାଜ୍ୟ ଓ ଦେଶ ବାହାରର ଫୋରେନସିକ ଲାବୋରେଟୋରିର ମଧ୍ୟ ସହାୟତା ଲୋଡିଛି ।
କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ ପ୍ରମାଣ ଯୋଗାଡ କରୁଥିବା ସମୟରେ ପୁଞ୍ଜିଲାଲ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ସ୍କାଏକିଙ୍ଗ କୋରିୟର ପୂର୍ବରୁ ପୁଞ୍ଜିଲାଲ ରାୟପୁରର ଆଉ ଏକ କୋରିୟରକୁ ଯାଇଥିଲେ । ଉକ୍ତ କୋରିୟର ତାଙ୍କୁ ପ୍ରମାଣପତ୍ର ମାଗିବାରୁ ସେ ସେଠାରୁ ଫେରିଆସିଥିଲେ । କ୍ରାଇମବ୍ରାଞ୍ଚ ଏହା ଜାଣିବା ପରେ ସଂପୃକ୍ତ କୋରିୟର ସଂସ୍ଥାକୁ ଯାଇ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରିଥିଲା । ମାତ୍ର ଅଧିକ ଦିନ ବିତିଯାଇଥିବାରୁ ହାଡଡିସ୍କରୁ ସିସିଟିଭି ଫୁଟେଜ ଡିଲିଟ ହୋଇଯାଇଥିବାରୁ ଏହା କ୍ରାଇମବ୍ରାଞ୍ଚକୁ ସମସ୍ୟାରେ ପକାଇଥିଲା । କ୍ରାଇମବ୍ରାଞ୍ଚ ସିସିଟିଭିର ହାଡଡିସ୍କ ଜବତ କରିଥିଲେ ମଧ୍ୟ ତଥ୍ୟ ପ୍ରମାଣ ଲାଗି ହାଡଡିସ୍କକୁ ରିକୋଭରି କରିବାପାଇଁ ରାଜ୍ୟ ତଥା ଦେଶରେ କୌଣସି ଫୋରେନସିକ ଲାବୋରେଟୋରି ନଥିବାରୁ ଉକ୍ତ ହାଡଡିସ୍କକୁ ଖୁବଶୀଘ୍ର ଇସ୍ରାଏଲ ପଠାଯିବ । ପୁଞ୍ଜିଲାଲଙ୍କ ବିରୋଧରେ ଏହା ଏକ ଠୋସ ପ୍ରମାଣ ହୋଇପାରିବ ।

ଏହାସହ ବଲାଙ୍ଗୀର ଏସପିଙ୍କ ପାଖକୁ ଏସକେ ସିଂହ୍ନା ନାଁରେ ଆସିଥିବା ଚିଠିର ଲଫାପା ମଧ୍ୟ ଯାଞ୍ଚ ହେବ । ଲଫାପାରେ ଥିବା ଫିଙ୍ଗର ପ୍ରିଣ୍ଟ ଓ ଅଠାରେ ଲାଗିଥିବା ଛେପର ଯାଞ୍ଚ କରାଯିବ । ଲଫାପାକୁ ଗାନ୍ଧୀନଗର ଫୋରେନସିକ ଲ୍ୟାବକୁ ପଠାଯିବ । ରିପୋର୍ଟ ଆସିବା ପରେ ସେଥିରେ ପୁଞ୍ଜିଲାଲଙ୍କ ଫିଙ୍ଗରପ୍ରିଣ୍ଟ ଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳିପାରିବ । ଏଥିସହିତ ଲଫାପାରେ ଲାଗିଥିବା ଅଠା ଓ ପୁଞ୍ଜିଲାଲଙ୍କ ଛେପ ଡିଏନଏ ଟେଷ୍ଟ କରାଯିବ । ସେଣ୍ଟ୍ରାଲ ଫୋରେନସିକ ଲାବୋରେଟୋରିରେ ଏହାର ଯାଞ୍ଚ କରାଯିବ । ଯାହାଫଳରେ ତଦନ୍ତର ବାଟବଣା କରିବାକୁ ପୁଞ୍ଜିଲାଲ ଉଦ୍ୟମ କରିଥିବାର ଠୋସ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରାଯାଇପାରିବ । ସେହିପରି ବିସ୍ଫୋରଣ ଘଟିଥିବା ବାରୁଦ ଓ ପୁଞ୍ଜିଲାଲଙ୍କ ପାଖରୁ ମିଳିଥିବା ବାରୁଦର ସାମଞ୍ଜସ୍ୟ ନେଇ ମଧ୍ୟ ଯାଞ୍ଚ କରାଯିବ । କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ଘରେ ଥିବା ଏକ ଡଷ୍ଟବିନରୁ କିଛି ଧୂଆଁର ଆସ୍ତରଣ ସଂଗ୍ରହ କରିଛି । ପରେ ଏହାକୁ ମୃତ ସୌମ୍ୟଶେଖରଙ୍କ ଘରୁ ସଂଗ୍ରହ କରାଯାଇଥିବା ଧୂଆଁର ଲେପ ସହ ମେଳ କରାଯିବ । କ୍ରାଇମବ୍ରାଞ୍ଚ ଏସବୁ ତଥ୍ୟ ପ୍ରମାଣ ଯୋଗାଡ କରୁଥିବା ବେଳେ ଏ ସମ୍ପର୍କରେ ମଧ୍ୟ ପୁଞ୍ଜିଲାଲକୁ ପଚରାଉଚରା କରାଯାଉଛି ।

Sikshaya
Leave A Reply

Your email address will not be published.