ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିନ କୁ ଦିନ ଓଡ଼ିଶାରେ ବଢ଼ି ଚାଲିଛି ନାବାଳିକା ଦୁଷ୍କର୍ମ । ଏହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏପରି ଘଟଣା ପୋଲିସ ପାଇଁ ବଡ଼ ଚାଲେଞ୍ଜ । ଏହାକୁ ଦୃଷ୍ଟି ରେ ରଖି ଓଡ଼ିଶା ପୋଲିସ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଅଛି। ଏହାର ନାଁ “ପରୀ ପାଇଁ କଥାଟିଏ” ରଖାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ ୧୨ ତାରିଖରେ ଶେଷ ହେବ। ୧୫ଟି ରଥ ୧୫ଦିନ ଧରି ସାରା ରାଜ୍ୟରେ ବୁଲିବ। ଏହି ରଥ ର ନାଁ ‘ପରୀ ରଥ’ ରଖା ଯାଇଛି। ପ୍ରତି ରଥ ୧୫ ଦିନରେ ୨ ଟି ଲେଖାଏଁ ଜିଲ୍ଲା ବୁଲିବେ। ପରୀ ରଥରେ ଏଲଇଡି ସ୍କ୍ରିନ , ଅଡ଼ିଓ-ଭିଜୁଆଲ ସୁବିଧା ରହିବା ସହ ସଚେତନତା ପତ୍ର ମଧ୍ୟ ବଣ୍ଟା ଯିବ । ପ୍ରତି ରଥରେ ୪ଜଣ ପୋଲିସ କର୍ମଚାରୀ ରହିବେ। ଏହାପାଇଁ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଭୁବନେଶ୍ୱେରରେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
ନାବାଳିକା ଦୁଷ୍କର୍ମ କୁ ନେଇ କରାଯାଇଥିବା ସର୍ଭେ ରୁ ଜଣାଯାଉଛି ଯେ ୯୦ ଶତକଡ଼ା କେସ ରେ ପରିବାର କିମ୍ବା ସାହିପଡିସା ର ଲୋକଙ୍କ ସମ୍ପୃକ୍ତି ରହୁଛି। ସେଥିପାଇଁ ସମସ୍ତଙ୍କୁ ଏବିଷୟରେ ସଚେତନ କରିବା ପାଇଁ “ପରୀ ପାଇଁ କଥାଟିଏ” ନାମକ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛି ଓଡ଼ିଶା ପୋଲିସ।
ୟୁନିସେଫ ସହଯୋଗରେ ଓଡିଶା ପୋଲିସ ଏଭଳି ଏକ ଯୋଜନା ଆରମ୍ଭ କରିଥିବା ଜଣାପଡିଛି ।
ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି
ପୋଲିସ ଡିଜି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେବାସହ ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଖୁବଶୀଘ୍ର ସାରି ଏସବୁ ମାମଲାରେ ଚାର୍ଜସିଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।