ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଫଗାନୀ ମହିଳା ଅଧିକାରକର୍ମୀ ଫ୍ରେସ୍ତା କୋହିସ୍ତାନୀ ଓ ତାଙ୍କ ଭାଇଙ୍କୁ କାପିସା ପ୍ରଦେଶ ଅନ୍ତର୍ଗତ କୋହିସ୍ତାନ ଜିଲ୍ଲାର ହେସ୍-ଏ-ଅଓ୍ଵଲ୍ ଅଞ୍ଚଳର ଦାହନୋ ଗାଁରେ ଅଜ୍ଞାତ ବାଇକ୍ ଆରୋହୀ ବନ୍ଧୁକଧାରୀମାନେ ଗୁଳିମାରି ହତ୍ୟା କରିଛନ୍ତି।
ବୁଧବାର ଦିନ ଜଣେ ପ୍ରମୁଖ ଗଣତନ୍ତ୍ର ସମର୍ଥକଙ୍କୁ କାବୁଲ୍ରେ ଗୁଳି ମାରି ହତ୍ୟା କରାଯିବା ପରେ ହତ୍ୟାର ସରବ୍ୟ ହୋଇଥିବା ଦ୍ୱିତୀୟ କର୍ମୀ ହେଉଛନ୍ତି ୨୯ ବର୍ଷୀୟ ଫ୍ରେସ୍ତା କୋହିସ୍ତାନୀ। ଏକ ସ୍ୱାଧୀନ ନିର୍ବାଚନ ପର୍ଯ୍ୟବେକ୍ଷଣ ସଂସ୍ଥା ଚଳାଉଥିବା ମହମଦ ୟୁସୁଫ୍ ରଶୀଦଙ୍କୁ ବୁଧବାର ଦିନ ଅତର୍କିତ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା।
ଫ୍ରେସ୍ତାଙ୍କୁ ହତ୍ୟା କରିଥିବା କଥା କୌଣସି ସଙ୍ଗଠନ ଏପର୍ଯ୍ୟନ୍ତ ଦାବି କରିନାହାନ୍ତି। ବର୍ଷିୟାନ୍ ନେତା ଅବ୍ଦୁଲ୍ଲା ଅବ୍ଦୁଲ୍ଲାଙ୍କ ନିମନ୍ତେ ଗତବର୍ଷ ରାଷ୍ଟ୍ରପତୀୟ ନିର୍ବାଚନରେ ପ୍ରଚାର ଅଭିଯାନ ଚଳାଇଥିବା କୋହିସ୍ତାନୀଙ୍କର ସାମାଜିକ ଗଣମାଧ୍ୟମରେ ବହୁ ଅନୁଗାମୀ ଅଛନ୍ତି। ମହିଳାଙ୍କ ଅଧିକାର ଦାବି କରି ସେ କାବୁଲରେ ନାଗରିକ ସମାଜ କାର୍ଯ୍ୟକ୍ରମମାନ ଆୟୋଜନ କରୁଥିଲେ।
ଅବ୍ଦୁଲ୍ଳା କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ କୋହିସ୍ତାନୀଙ୍କୁ ହତ୍ୟା କରାଯାଇଛି। ଫେସ୍ବୁକ୍ ପୋଷ୍ଟ୍ରେ ସେ କୋହିସ୍ତାନୀଙ୍କୁ ଜଣେ ସାହସିନୀ ଓ ନିର୍ଭୟା କର୍ମୀ ବୋଲି କହିଛନ୍ତି।
ଧମକ ପାଉଥିବାରୁ ସରକାରୀ କର୍ତ୍ତୃପକ୍ଷଙ୍କୁ ସୁରକ୍ଷା ମାଗିଛନ୍ତି ବୋଲି ମୃତ୍ୟୁର କିଛି ଦିନ ପୂର୍ବରୁ କୋହିସ୍ତାନୀ ଫେସ୍ବୁକ୍ରେ ଲେଖିଥିଲେ। ତାଙ୍କର ଗୋଟିଏ ପିଲା ଓ ସ୍ୱାମୀ ଅଛନ୍ତି।
