ସ୍ତ୍ରୀକୁ ହତ୍ୟା କରି କଟାମୁଣ୍ଡ ଧରି ଘରକୁ ଫେରିଲା ସ୍ୱାମୀ

0

ଗଜପତିର କାଶୀନଗର ଅଞ୍ଚଳରେ ଛାତିଥରା ଘଟଣା । ପାରିବାରିକ କଳହକୁ ନେଇ ନୃଶଂସ ପାଲଟିଗଲା ସ୍ବାମୀ ।

ଯେଉଁ ସିନ୍ଥିରେ ସିନ୍ଦୁର ଭରି ସାତ ଜନ୍ମ ସାଥି ହୋଇ ରହିବାକୁ ମିଠା ମିଠା ପ୍ରତିଶୃତି ଦେଇଥିଲା । ସେହି ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସଇତାନ ସ୍ବାମୀ । ପରେ କଟାମୁଣ୍ଡକୁ ଧରି ଘରକୁ ଫେରିଲା ଜହ୍ଲାଦ ସ୍ବାମୀ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଉର୍ମିଳା କାର୍ଯି । ହତ୍ୟା ଘଟଣାରେ ସ୍ବାମୀ ଚନ୍ଦ୍ରଶେଖର କାର୍ଯିକୁ ପୋଲିସ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସ୍ବାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଉର୍ମିଳା ମିଶି ବଗଡକୁ ଚାଷ କରିବା ପାଇଁ ଯାଇଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ଚନ୍ଦ୍ରଶେଖର କାର୍ଯି ହାତରେ ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଯିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା । ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଚନ୍ଦ୍ରଶେଖର ଘରକୁ ଆସିଥିଲା ।

ଏନେଇ ଖବର ପାଇ କାଶୀନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି । ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହ ୪ ବର୍ଷ ହେଲା ହୋଇଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି । ଏପରି ହତ୍ୟାକାଣ୍ଡ ପରେ ସାରା ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ଚନ୍ଦ୍ରଶେଖର କାର୍ଯିକୁ ପୋଲିସ ଗିରଫ କରିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ପଚରାଉଚରା ଜାରି ରହିଛି । ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିନାହିଁ । ତେବେ କେଉଁ କାରଣକୁ ନେଇ ସ୍ବାମୀ ତାର ସ୍ତ୍ରୀକୁ ଏପରି ନୃଶଂସ ଭାବେ ହତ୍ୟା କଲା ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

SOA post below
Leave a comment