ପୋଲିସ ପୁଣି ଚଳାଇଲା ଲାଠି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇ ଥିବା ସମିତି ସଭ୍ୟଙ୍କୁ ପୋଲିସ କରିଛି ଲାଠି ମାଡ଼। ଆନ୍ଦୋଳନକାରୀମାନେ ବିଧାନସଭା ଆଡକୁ ମାଡି ଯାଉଥିବା ବେଳେ ପୋଲିସ ସହ ମୁହାମୁହଁ ହୋଇଥିଲେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଲାଠି ମାଡ଼ କରିଥିଲା ପୋଲିସ।

ସରପଞ୍ଚଙ୍କ ଭଳି ସମାନ ସୁବିଧା ଓ ପଞ୍ଚାୟତ ଅଫିସରେ ସ୍ଵତନ୍ତ୍ର ଚେୟାର ବ୍ୟବସ୍ଥା ଆଦି ୧୦ ଦଫା ଦାବି ନେଇ ସମିତି ସଭ୍ୟମାନେ ଗତ ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇ ବିଧାନସଭା ଆଗରେ ଧାରଣା ଦେଇଥିଲେ। ସରକାର ସେମାନଙ୍କ ସହ ଆଲୋଚନା ନ କରିବାରୁ ସୋମବାର ସମିତି ସଭ୍ୟମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ।

ସମିତି ସଭ୍ୟମାନେ ୧୪୪ ଧାରା ଭାଙ୍ଗି ଲୋୟର ପିଏମଜିରୁ ଏକ ଶୋଭାଯାତ୍ରାରେ ବିଧାନସଭା ଆଡ଼କୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ପୋଲିସକୁ ଠେଲିପେଲା କରି ବିଧାନସଭା ଆଡ଼କୁ ମାଡି ଯାଇଥିଲେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ସେମାନଙ୍କ ଉପରେ ଲାଠି ମାଡ କରିଥିଲା। ଲାଠି ମାଡ଼ରେ ୭ଜଣ ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରାୟ ୧୦ ଜଣଙ୍କୁ ଅଟକ ରଖିଛି। ଏହାକୁ ନେଇ ସମିତି ସଭ୍ୟଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।  

Sikshaya
Leave A Reply

Your email address will not be published.