ବଦଳିବ ଏମ୍ସର ନାମ

ସମଗ୍ର ଦେଶରେ ୨୦ରୁ ଅଧିକ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରହିଛି । ଏମ୍ସକୁ କେବଳ ତାର ସାଧାରଣ ନାମ ସହ ସେହି ଅଞ୍ଚଳର ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତ ଏମ୍ସର ବ୍ୟକ୍ତିଗତ ନାମ ରଖିବାକୁ ସ୍ଥିର କରାଯାଇଛି । ଦିଲ୍ଲୀ ସମେତ ଦେଶର ୨୩ଟି ଏମ୍ସର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀ, ସ୍ଥାନୀୟ ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ ହେବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଣାଳୟଙ୍କ ପରାମର୍ଶ ପରେ ମୋଟ ୨୩ଟି ଏମ୍ସର ନାମ ତାଲିକା ଦାଖଲ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଏପରି ସ୍ଥିତିରେ ଖୁବ ଶୀଘ୍ର କେନ୍ଦ୍ର ସରକାର ଏମ୍ସର ନାମ ପରିବର୍ତ୍ତନ କରିବେ ।
ସୂଚନା ଥାଉକି, ନୂଆଦିଲ୍ଲୀ ଏମ୍ସ ଅନୁଷ୍ଠାନ ୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେହି ଦିନଠାରୁ ଦେଶରେ ୨୪ରୁ ଅଧିକ ସ୍ଥାନରେ ଏମ୍ସ ଖୋଲିବାକୁ ଘୋଷଣା କରାଯାଇଥିଲା । ତେବେ ଜାନୁଆରୀ ୨୦୨୨ ସୁଦ୍ଧା ଦେଶରେ ୧୯ଟି ଅନୁଷ୍ଠାନ କାର୍ଯ୍ୟ କରୁଥିବା ବେଳେ ୨୦୨୫ ସୁଦ୍ଧା ଅନ୍ୟ ୫ଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିବା ସୂଚନା ମିଳିଛି ।