ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଦେଶରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଛି। ବ୍ରିଟେନରେ ଏହି ନୂଆ ଷ୍ଟ୍ରେନ ମହାମାରୀ ସଂକ୍ରମଣର ବ୍ୟାପକତା ପରେ ଭାରତରେ ମଧ୍ୟ ବ୍ରିଟେନ ଫେରନ୍ତାଙ୍କ ଠାରେ ଏହି ଷ୍ଟ୍ରେନର ଭୂତାଣୁ ଚିହ୍ନଟ ହୋଇଛି। ଫଳରେ ସରକାର ସତର୍କ ହୋଇଛନ୍ତି। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବ୍ରିଟେନକୁ ଯିବାକୁ ଥିବା ଏବଂ ବ୍ରିଟେନରୁ ଭାରତ ଆସୁଥିବା ସମସ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ୨୦୨୧ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ହରଦୀପ ସିଂ ପୁରୀ।
ଏହାପରେ କଡା ନିୟମ ସହ ପୁଣି ବିମାନ ଚଳାଚଳ ସ୍ୱାଭାବିକ ହେବ ଓ ଏନେଇ ଖୁବ ଶୀଘ୍ର ଜଣାଇ ଦିଆଯିବ। ଏଠାରେ ସୂଚନାଥାଉ କି ଭାରତ ଗତ ସପ୍ତାହରୁ ବ୍ରିଟେନର ସମସ୍ତ ବିମାନକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବାତିଲ କରିଥିଲା। ତେବେ ସପ୍ତାହରେ ଭାରତ-ୟୁକେ ମଧ୍ୟରେ ୬୭ଟି ବିମାନ ୪ଟି ଏୟାର ଲାଇନ୍ସରେ ଚଳାଚଳ କରିଥାଏ। ଏୟାର ଇଣ୍ଡିଆ, ଭିସ୍ତାରା, ବ୍ରିଟିଶ ଏୟାର ୱେସ, ଭର୍ଜିନ ଆଟଲାଣ୍ଟିକ୍ ବିମାନ ଚଳାଚଳ କରିଥାଏ। ଯେଉଁଥିରେ ୨ ହଜାରରୁ ୨୫୦୦ ଯାତ୍ରୀ ଦୈନିକ ଯାତାୟାତ କରିଥାନ୍ତି।
