ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଲମ୍ବିତ ଆଇଏଫଏସ୍ ଅଭୟକାନ୍ତ ପାଠକ ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘରେ ବନ୍ଧୁ ବାନ୍ଧିଥାନ୍ତେ। ଶ୍ରୀ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ସହିତ ପାଠକଙ୍କ ପୁଅ ଆକାଶର ବିବାହ ହୋଇଥାନ୍ତା। ଏଥିପାଇଁ ଦିନଧାର୍ୟ୍ୟ ସରିଥିଲା। ନିମନ୍ତ୍ରଣପତ୍ର ମଧ୍ୟ ଛପା ସରିଥିଲା। ହେଲେ ବାପ-ପୁଅ ଗିରଫ ହେବା ପରେ ବାହାଘର ଏବେ ଅଧା ରହିଯାଇଛି।
ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧୧ତାରିଖରେ ଅଭୟଙ୍କ ପୁଅ ଆକାଶ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ସହିତ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାନ୍ତା। ମୁମ୍ବାଇର ଏକ ତାରକା ହୋଟେଲରେ ବିବାହ ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ବରଯାତ୍ରୀ ଯିବା ଲାଗି ଚାର୍ଟର ଫ୍ଲାଇଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କେତେକ ବରଯାତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ସହ ଯିବା ଆସିବା ଫ୍ଲାଇଟ ଟିକେଟ ମଧ୍ୟ ଦିଆଯାଇଥିଲା। ଏଥିସହିତ ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ତାଜଲୋକ ପ୍ୟାଲେସରେ ଭୋଜି ଲାଗି ବ୍ୟବସ୍ଥା କରାଯାଇଥିଲା। ଏହି ହୋଟେଲରେ ଦେଶର ବିତଶାଳୀ ବ୍ୟକ୍ତିମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ପୁଅ ଝିଅଙ୍କର ବିବାହ କାର୍ୟ୍ୟ କରିଥାନ୍ତି। ପାଠକ ବିବାହ ପାଇଁ ଅଗ୍ରିମ ୨୦ଲକ୍ଷ ଟଙ୍କା ଦେଇଥିଲେ।
