ବିବାଦରେ ଖିଲାଡୀ କୁମାର

ଅଭିନେତା ଅକ୍ଷୟ କୁମାରଙ୍କ ଜନହିତର ଏକ ବିଜ୍ଞାପନ ପୁଣି ଥରେ ବିବାଦ ଘେରକୁ ଆସିଛି। ଏହି ବିଜ୍ଞାପନକୁ ନେଇ ଲୋକେ ଅଭିଯୋଗ କରୁଛନ୍ତି ଯେ ଏହା ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଛି। ଏହି ଏକ ମିନିଟ୍ର ବିଜ୍ଞାପନରେ ବିବାହ ପରେ ଝିଅ ବିଦାୟ ସମୟର ଦୃଶ୍ୟ ଦେଖାଯାଇଛି।
ଏହି ବିଜ୍ଞାପନରେ ଦେଖିବାକୁ ମିଳୁଛି ଝିଅ ବିଦା ବେଳେ କନ୍ୟା କାନ୍ଦୁଥିବା ବେଳେ କନ୍ୟା ପିତା ମଧ୍ୟ କାନ୍ଦି କାନ୍ଦି ତାଙ୍କୁ କାର୍ରେ ବସେଇ ବିଦା କରୁଛନ୍ତି। ଠିକ୍ ଏହି ସମୟରେ ଜଣେ ପୋଲିସ୍ ଅଫିସର୍ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ କୁମାର ଙ୍କ ଏଣ୍ଟ୍ରି ହେଉଛି। ଏହି ବିଜ୍ଞାପନରେ ସେ ଝିଅର ବାପାଙ୍କୁ କିଛି ଉପଦେଶ ଦେଉଥିବା ଦେଖାଯାଉଛି। ଝିଅକୁ ଦୁଇଟି ଏୟାର୍ବ୍ୟାଗ୍ ଗାଡି ବଦଳରେ ୬ଟି ଏୟାର୍ବ୍ୟାଗ୍ ଥିବା ଗାଡିରେ ବିଦା କରିବାକୁ ସେ ତାଙ୍କୁ କହୁଛନ୍ତି। ଝିଅର ବାପା ମଧ୍ୟ ଏଥିରେ ରାଜି ହୋଇଛନ୍ତି।
ଏହା ପରେ ପରବର୍ତ୍ତୀ ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଥିରେ ନବଦମ୍ପତି ୬ଟି ଏୟାର୍ବ୍ୟାଗ୍ ଥିବା ଏକ କାର୍ରେ ହସି ହସି ଯାଉଛନ୍ତି। ଏଭଳି ପରିସ୍ଥିତିରେ ଶିବସେନାର ଦୁଇ ନେତା ପ୍ରିୟଙ୍କା ଚତୁର୍ବେଦୀ ଏବଂ ସାକେତ ଗୋଖଲେ ଏହି ବିଜ୍ଞାପନକୁ ନିନ୍ଦା କରିଛନ୍ତି। ପ୍ରକାଶଥାଉ ଯେ କାର୍ ଦୁର୍ଘଟଣାରେ ପୂର୍ବତନ ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏହି ବିଜ୍ଞାପନ ପ୍ରସାରିତ ହୋଇଛି।