ବରଗଡର ଗୁଡ୍ଡି ରାଓଙ୍କ ସହ କଥା ହୋଇ ଅମିତାଭ ବଚ୍ଚନ କହିଲେ ଏପରି କଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମହାମାରୀ ଆଜି ବିଶ୍ଵରେ ତାଣ୍ଡବ ମଚାଇଥିବା ବେଳେ କିନ୍ତୁ ବହୁ କଠୋର ବ୍ୟକ୍ତିଙ୍କ ହୃଦୟକୁ ମଧ୍ୟ ତରଳାଇ ଦେଇଛି ଏହି କରୋନା । ମହାମାରୀ କରୋନା ଯୋଗୁଁ ଆଜି ବହୁ ଲୋକ ନିଜର ମଣିଷତ୍ଵ କୁ ବୁଝିପାରିଛନ୍ତି ଏବଂ ମଣିଷ ତ ମଣିଷ ପଶୁ ସେବାରେ ମଧ୍ୟ ଲାଗିପଡିଛନ୍ତି ଲୋକେ । ଲକଡାଉନ ସମୟରେ ବହୁ ଲୋକ ନିଜକୁ ସମାଜସେବା କାର୍ଯ୍ୟରେ ନିଯୋଜିତ କରିଥିବା ଦେଖିବାକୁ ମିଳିଛି ସତ କିନ୍ତୁ ଏପରି ମଧ୍ୟ ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ କି ବହୁ ଗରିବ ଭୋକିଲାଙ୍କୁ ନିତିଦିନ ଖାଇବାକୁ ଦେଇ ବେଶ ଆତ୍ମତୃପ୍ତି ଲାଭକରିଥାନ୍ତି । ବରଗଡ ସହର ରେଲୱେ ଷ୍ଟେସନ ପଡାରେ ରହୁଥିବା ଗୁଡ୍ଡି ରାଓ ଯିଏ କି ସମାଜସେବା କାର୍ଯ୍ୟରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି । ଗୁଡ୍ଡି ରାଓ କେବଳ ବରଗଡ ଜିଲ୍ଲା କିମ୍ବା ରାଜ୍ୟ ନୁହେଁ ବରଂ ତାଙ୍କର ସମାଜସେବାର ଗାଥା ସାରା ଦେଶ ତଥା ଦେଶ ବାହାରେ ମଧ୍ୟ ଚର୍ଚ୍ଚିତ ହୋଇରହିଛି । ଗୁଡ୍ଡି ରାଓଙ୍କ ସମାଜସେବାରେ ଖୁସି ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପ୍ରଶଂସା କରିଥିବା ବେଳେ ବଲିଉଡ଼ ବାଦଶାହା ତାରକା ଅମିତାଭ ବଚ୍ଚନ ମଧ୍ୟ ଗୁଡ୍ଡି ରାୟଙ୍କୁ ଫୋନ କରି ତାଙ୍କୁ ସାଧୁବାଦ ଜଣାଇଛନ୍ତି।

ଗୁଡ୍ଡି ରାଓ ପେଷାରେ ଜଣେ ରେଲୱେ କଣ୍ଟ୍ରାକ୍ଟର ହୋଇଥିବା ବେଳେ ରେଲୱେ ଷ୍ଟେସନ ଛକରେ ତାଙ୍କର ଏକ ହୋଟେଲ ରହିଛି । ରେଲୱେ ଷ୍ଟେସନ ନିକଟରେ ବହୁ ଗରିବ ଲୋକ ଖାଇବାକୁ ପାଉନଥିବା ଦେଖି ଗୁଡ୍ଡି ରାଓ ୬ ମାସ ତଳେ ମାତ୍ର ୧୦ ଟଙ୍କାରେ ଖାଇବାକୁ ଯୋଗେଇଦେଉଥିଲେ ବହୁ ଗରିବଙ୍କୁ । ସାଇ ଆହାର ନାମକ ଗୁଡ୍ଡି ରାଓ ଙ୍କ ଏହି ଆହାର କେନ୍ଦ୍ରରେ ଦେଖୁ ଦେଖୁ ଭିଡ ଲାଗିଯାଇଥିଲା । ମାତ୍ର ୧୦ ଟଙ୍କାରେ ଭାତ, ଡାଲମା ଓ ଖଟା ଇତ୍ୟାଦି ପେଟପୂରା ଖାଇବାକୁ ବରଗଡ ସହରର ପ୍ରାୟ ୪୦୦ ଗରିବ ପ୍ରତିଦିନ ଏଠାକୁ ଚାଲିଆସୁଥିଲେ ଖାଇବାପାଇଁ । ଗୁଡ୍ଡି ରାଓ ଙ୍କର ଏପରି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ବେସ ପ୍ରଶଂସା କରାଯାଇଥିଲା । କରୋନା ମହାମାରୀ ପାଇଁ ଲକଡାଉନ କାରଣରୁ ଲୋକଙ୍କ ଦୁଃଖ ଦୁର୍ଦଶାକୁ ସହ୍ୟ କରିନପାରି ଗୁଡ୍ଡି ରାଓ ତାଙ୍କର ସାଇ ଆହାର କୁ ସମ୍ପୂର୍ଣ ମାଗଣା କରିଦେଇଥିଲେ । ନିଜ ଖର୍ଚ୍ଚରେ ଲକଡାଉନ ଆରମ୍ଭ ଠାରୁ ପ୍ରତିଦିନ ୭୦୦ ରୁ ୮୦୦ ଭୋକିଲା ଙ୍କୁ ଖାଇବାକୁ ଦେଇଥିଲେ ଗୁଡ୍ଡି । ସମସ୍ତଙ୍କୁ ସାମାଜିକ ଦୁରତ୍ଵ ରେ ରଖି ଖାଇବାକୁ ଦିଆଯାଇଥିଲା ସାଇ ଆହାର କେନ୍ଦ୍ରରେ ଯାହାକି ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ସାଇ ଆହାର କେନ୍ଦ୍ର ନିକଟରେ ସଠିକ ବ୍ୟବଧାନରେ ଧଳା ରଙ୍ଗର ଚିହ୍ନ ଦିଆଯାଇ ଲୋକଙ୍କୁ ସେଠାରେ ଖାଇବାକୁ ଦିଆଯାଇଥିଲା । ଗୁଡ୍ଡି ରାଓଙ୍କ ଏପରି ପଦକ୍ଷେପ କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟର ମାଧ୍ୟମରେ ତାଙ୍କୁ ଶୁଭେଚ୍ଚା ଜଣାଇଥିଲେ । ଅନ୍ୟପଟେ ଦେଶ ବାହାରେ ଥିବା ଲୋକେ ମଧ୍ୟ ଖବର ପାଇ ବିଦେଶରୁ ଆର୍ଥିକ ସାହାଯ୍ୟର ହାତ ବଢାଇଥିଲେ ଗୁଡ୍ଡି ଙ୍କୁ । ଗୁଡ୍ଡି ରାଓଙ୍କର ଏପରି ସମାଜ ସେବାକୁ ଦେଖି ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଗୁଡ୍ଡି ରାଓଙ୍କୁ ଫୋନ କରିପକାଇଥିଲେ । ଅମିତାଭ ବଚ୍ଚନ ଗୁଡ୍ଡି ରାଓ ଙ୍କ ସଙ୍ଗେ ଦୀର୍ଘ ଗୋଟେ ଘଣ୍ଟା କଥାବାର୍ତ୍ତା ହୋଇଥିଲେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ବିଷୟରେ ପଚାରି ବୁଝିଥିଲେ । ଶେଷରେ ଗୁଡ୍ଡି ଙ୍କ ଏପରି ମହତ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେବା ସହିତ ଶୁଭକାମନା ଜଣାଇଥିବା କହନ୍ତି ଗୁଡ୍ଡି ରାଓ । ଆଜି ଗୁଡ୍ଡି ରାଓଙ୍କ ସମାଜସେବା ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ସାଜିଥିବା ବେଳେ ସାରା ଦେଶରେ ବରଗଡ ଜିଲ୍ଲାର ନାମ ରଖୁଛନ୍ତି ଗୁଡ୍ଡି ।

Leave A Reply

Your email address will not be published.