ଅନନ୍ତଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ଥଇଥାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ଅନନ୍ତଙ୍କୁ ଏହି ଦାୟିତ୍ୱ ମିଳିବା ପରେ ତାଙ୍କୁ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ମଧ୍ୟମ ବା ଉତ୍ତରରୁ ଟିକେଟ ମିଳିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଅନନ୍ତ ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର ଦାୟିତ୍ୱ ତୁଲାଇଛନ୍ତି । ସେ ଭୁବନେଶ୍ୱରରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ୱାର୍ଡ ସମ୍ପ୍ରସାରଣ ଓ ଅନେକ ଅଧୁନିକୀକରଣ କାର୍ଯ୍ୟ ହୋଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହିଁ ବିଡିଏ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥାନ୍ତି । ତେବେ ନିର୍ବାଚନ ପୂର୍ବରୁ ଅନନ୍ତଙ୍କୁ ହଠାତ ଥଇଥାନ କରି ବିଡିଏ ଅଧ୍ୟକ୍ଷ କରାଯିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ମାଧ୍ୟମ କିମ୍ବା ଉତ୍ତରର ଆଶାୟୀ ବିଧାୟକ ପ୍ରାର୍ଥୀ ଥିଲେ । ସେ ଉତ୍ତର ଭୁବନେଶ୍ୱରରେ ଅନେକ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ କରୁଥିଲେ । ମାତ୍ର ତାଙ୍କ ନାମରେ ଥିବା କିଛି ଗୁରୁତର ଅଭିଯୋଗକୁ ଦୃଷ୍ଟିରେ ରଖି ତାଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ଥଇଥାନ କରାଯାଇଛି । କାରଣ ଅନନ୍ତଙ୍କ ଏକ ବ୍ଲୁ ସିଡ଼ି କେଳେଙ୍କାରୀ ଓ ଗୋଲଡେନ ବାବାଙ୍କ ସହ ସମ୍ପୃକ୍ତିକୁ ନେଇ ପୂର୍ବରୁ ସେ ଚର୍ଚ୍ଚାରେ ରହିଆସିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିଜ ସ୍ୱଚ୍ଛ ଭାବମୂର୍ତ୍ତିରେ ଦାଗ ନଲଗାଇବାକୁ ଏପରି ନିଷ୍ପତ୍ତି ନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave A Reply

Your email address will not be published.