ଆନ୍ଧ୍ରକୁ ଇଞ୍ଚେ ବି ଜାଗା ଛଡାଯିବ ନାହିଁ: ରାଜସ୍ୱ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଆନ୍ଧ୍ରକୁ ରାଜ୍ୟର ଇଞ୍ଚେ ବି ଜମି ଦିଆଯିବ ନାହିଁ। ସମ୍ବାଇ କିମ୍ବା କୁଟିଆ କେଉଁଠି ବି ଅନୁପ୍ରବେଶ କରିବାକୁ ଦିଆଯିବନି । ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଶ୍ରୀ ମାରାଣ୍ଡି କହିଛନ୍ତି, ସୀମାରେ ଥିବା ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ । ସୀମାବର୍ତ୍ତି ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଛି । ପ୍ରାୟ ଏକ ସପ୍ତାହ ଧରି ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ କରି ରଖିଛନ୍ତି ଆନ୍ଧ୍ରପ୍ରଦେଶର ୪ଟି ଗାଁର ଲୋକେ ।

ଏହି ରାସ୍ତା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଛି । ଦୁଇ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣକୁ ନେଇ ଏହି ବିବାଦ ଦେଖାଦେଇଛି । ୭ ଦିନ ପୂର୍ବେ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁରେ ଆନ୍ଧ୍ରପ୍ରଦେଶ ତରଫରୁ ଏକତରଫା ଭାବେ ମାପଚୁପ କରାଯାଇଥିଲା । ସୁନାବେଡା ଗାଁକୁ ଆନ୍ଧ୍ରର ଲୋକେ ପଶି ଆସି ସ୍ୱାଗତ ବୋର୍ଡ ଓ ମାଇଲଖୁଣ୍ଟ ଲଗାଇଥିଲେ। ପରେ ଓଡ଼ିଶା ଅଧିକାରୀ ଏହାକୁ କାଢ଼ି ଦେଇଥିଲେ। ଏହାକୁ ନେଇ ଆନ୍ଧ୍ରର ଲୋକପ୍ରତିନିଧି ଓ ବାସିନ୍ଦା ତୀବ୍ର ବିରୋଧ କରି ଦୀର୍ଘ ୭ ଦିନ ହେବ ପଥର ପକାଇ ରାସ୍ତା ଅବରୋଧ କରି ରଖିଛନ୍ତି ।

Leave A Reply

Your email address will not be published.