ବିଜେଡ଼ିରେ ଅସନ୍ତୁଷ୍ଟ ଏବଂ ନୂଆ ଚେହେରା ଖୁବଶୀଘ୍ର ହେବେ ଥଇଥାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଖାଲି ପଡିଥିବା ସମସ୍ତ ନିଗମ, ଯୋଜନା ବୋର୍ଡ ଏବଂ କିଛି ପର୍ଯ୍ୟବେକ୍ଷକ ପଦବୀ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ବିଭିନ୍ନ ସରକାରୀ ପଦପଦବୀରେ ପୂର୍ବରୁ ଯେତେସବୁ ରାଜନୈତିକ ନିଯୁକ୍ତି ଦିଆଯାଇଥିଲା ସେସବୁ ମନ୍ତ୍ରିମଣ୍ଡଳର ପୁନର୍ଗଠନ ସମୟରେ ନାକଚ କରିଦିଆଯାଇଥିଲା । ସେବେଠାରୁ ଏହି ପଦବୀଗୁଡିକ ଖାଲି ପଡିଛି । ତେବେ ଅଗଷ୍ଟ ମାସ ମଧ୍ୟରେ ଏହି ରାଜନୈତିକ ନିଯୁକ୍ତି ମିଳିପାରେ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି ।

ସୂଚନା ଅନୁଯାୟୀ, ନବୀନଙ୍କ ପଞ୍ଚମ ପାଳି ତିନିବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରେ କୌଣସି ପରିବର୍ତ୍ତନ ହୋଇନଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ କେବଳ ମନ୍ତ୍ରୀମାନେ ନୁହଁନ୍ତି ସମସ୍ତ ନିଗମ ଏବଂ ଯୋଜନା ବୋର୍ଡ ଅଧ୍ୟକ୍ଷ ମଧ୍ୟ ନିଜ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ରାଜ୍ୟସଭା ଓ ରାଷ୍ଟ୍ରପତି ନିର୍ବାଚନ ଏବଂ ପରେ ପରେ ବର୍ତ୍ତମାନ ରାଜ୍ୟ ବିଧାନସଭା ଅଧିବେଶନ ଚାଲିଛି । ଏହି ଅଧିବେଶନ ପରେ ନିଗମ, ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ହେବା ନେଇ ବିଜେଡ଼ି ଅନ୍ତଃ ମହଲରେ ଚର୍ଚ୍ଚା ଜୋର ଧରିଛି । କିପରି ଯୁବ ପିଢ଼ି ସହ ଅଭିଜ୍ଞଙ୍କୁ ବିଜେଡ଼ିର ଦାୟିତ୍ୱ ପ୍ରଦାନ କରାଯିବ ଯାହାକି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ଏକ ସ୍ବର୍ଣ୍ଣିମ ଫଳାଫଳ ନେଇ ଆସିବ ତାକୁ ନେଇ ତର୍ଜମା ହେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । କାହିଁକି ନା କିଛି ଆଶାୟୀ ମନ୍ତ୍ରୀପଦ ନପାଇ ମନ ଦୁଃଖ କରି ରହିଛନ୍ତି । ସେମାନଙ୍କୁ କିଛି ଭଲ ପଦପଦବୀରେ ଥଇଥାନ କରି ମାନଭଞ୍ଜନ କରାଯିବା ସହ କିଛି ନିଗମ ପଦରେ ପୂର୍ବରୁ ଥିବା ନେତାଙ୍କୁ ପୁନର୍ବାର ପଦ ପ୍ରଦାନ କରାଯିବା ନେଇ ଚର୍ଚ୍ଚା କରାଯାଉଛି ।

ଅପରପକ୍ଷରେ ୨୦୨୩ ଶେଷ ବେଳକୁ ସାଧାରଣ ନିର୍ବାଚନ ହେବା ଆକଳନ କରାଯାଉଛି । ତେଣୁ ଯେଉଁମାନେ ପୂର୍ବରୁ ବିଭିନ୍ନ ବିଭାଗର ଉପଦେଷ୍ଟା ସମେତ ବୋର୍ଡ, ନିଗମ ଆଦିର କାର୍ଯ୍ୟକର୍ତ୍ତା ଭାବେ ମନୋନୀତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିଜେଡି ସାଂଗଠନିକ ଦାୟିତ୍ୱ ଦେବା ସହିତ ଆଉ କେତେକ ନୂଆ ଚେହେରାଙ୍କୁ ଏହି ପଦପଦବୀରେ ନିଯୁକ୍ତି ଦେବା ଘେନି ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏସବୁ କ୍ଷେତ୍ରରେ ଦକ୍ଷତା, ସଚ୍ଚୋଟତା, ସାଂଗଠନିକ ଅଭିଜ୍ଞତା ଆଦିକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ । ଏମିତିକି ବିଜେଡି ସହ ଜଡିତ ନଥିବା ଆଉ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସରକାର ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ବିଶେଷ ସୂତ୍ର ଅନୁଯାୟୀ, ନିଗମ ପାଇଁ: ଅନୁଭବ ପଟ୍ଟନାୟକ(ଖଣ୍ଡପଡା) , ଦୁର୍ଗା ସାମନ୍ତରାୟ, ସୁବାଷ ପାତ୍ର, ସୌଭାଗ୍ୟ ନାୟକ(ବୌଦ୍ଧ ପ୍ରଭାରୀ), କୁନବିହାରୀ ଦାସ, ସୁବାସିସ ଖୁଣ୍ଟିଆ(ପୁରୀ), ସୁର ସେଠି(କାକଟପୁର), ମୟୁରଭଞ୍ଜର ଦେବାଶିଷ ମାରାଣ୍ଡି, ଏଲିନା/ଇପ୍ସିତାଙ୍କ ମଧ୍ୟରୁ ଜଣଙ୍କୁ, ସମ୍ବଲପୁରରୁ ସଞ୍ଜୀବ, ଖୋର୍ଦ୍ଧା ରୁ ବିଭୁତି ବଳବନ୍ତ ରାୟ / ରଘୁ ସାହୁଙ୍କ, ରଞ୍ଜିତ ମହାପାତ୍ର(ଭୁବନେଶ୍ୱର), ସୋଫିଆ ଆଲାମ ନାଁ ନେଇ ବିଚାର ବିମର୍ଷ କରାଯାଉଅଛି । ସେହିପରି କଂଗ୍ରେସ ଛାଡି ବିଜେଡ଼ିରେ ଯୋଗଦାନ କରିଥିବା ଅନୁପ ସାୟଙ୍କୁ ପ୍ରଦାନ କରାଯାଇଥିବା ପନ୍ୟାଗାର ନିଗମ ଅନେକ ଦିନ ହେବ ଖାଲିପଡିଛି ସେ ସ୍ଥାନରେ ମଧ୍ୟ ନୂତନ ନିଯୁକ୍ତି ହେବା ନେଇ ଚର୍ଚ୍ଚା ହେଉଛି ।

ସେହିପରି ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ/ ପ୍ରଦୀପ ମାଝୀ କିମ୍ବା ପୁନର୍ବାର ସଞ୍ଜୟ ଦାସବର୍ମା ଙ୍କୁ ଦିଆଯିବା ନେଇ ତର୍ଜମା ଚାଲିଥିବା ସୂଚନା ମିଳିଛି । ଅପରପକ୍ଷରେ ଅନେକ ସ୍ଥାନରେ ପର୍ଯ୍ୟବେକ୍ଷକ ମଧ୍ୟ ଅଦଳବଦଳ ହୋଇପାରନ୍ତି।

SOA post below
Leave a comment