କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ, ୫୦ ହଜାର କୋଟି ନିବେଶ କରିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଛି । ଏହି ଷ୍ଟିଲ ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୨ ନିୟୁତ ଟନ ବିଶିଷ୍ଟ ହେବ ଓ ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଆଜି ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମାରୋହରେ ଏହି ଏମଓୟୁ (ବୁଝାମଣାପତ୍ର) ସ୍ବାକ୍ଷରିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମ୍ପାନିର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଉପସ୍ଥିତ ଥିଲେ ।
ଏହି ଏମଓୟୁ ପୂର୍ବରୁ ଆଜି ଶ୍ରୀ ମିତ୍ତଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଗତ ମଙ୍ଗଳବାର ସେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ।
ଗତ ୨୦୧୯ରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶାର ପାରାଦୀପଠାରେ ଥିବା ଏସାର ଷ୍ଟିଲର ପେଲେଟ, ବେନିଫିସିଏସନ ପ୍ରକଳ୍ପ ଓ ପାଇପଲାଇନକୁ ଖରିଦ କରିଥିଲା । ଗତ ବର୍ଷ ହୋଇଥିବା ଖଣି ନିଲାମରେ ମଧ୍ୟ ଆର୍ସେଲର ମିତ୍ତଲ ଠାକୁରାଣୀ ଓ ସାଗସାହି ଲୁହାପଥର ଖଣି ହାସଲ କରିଥିଲା । ଗତ ୨୦୦୬ ରେ ମିତ୍ତଲ ଷ୍ଟିଲ କେନ୍ଦୁଝରରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏମଓୟୁ କରିଥିଲେ ମଧ୍ୟ ପରେ ତାହା ବାତିଲ ହୋଇଯାଇଥିଲା ।

Sikshaya
Leave A Reply

Your email address will not be published.