ସଂକ୍ରମଣ ବୃଦ୍ଧିର କାରଣ ନିର୍ଣ୍ଣୟ କରି ରଣକୌଶଳ ପୁନଃନିର୍ଦ୍ଧାରଣ କର-ମୁଖ୍ୟ ଶାସନ ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ ସଂକ୍ରମଣ ବୃଦ୍ଧିର ନିର୍ଦ୍ଦିଷ୍ଟ କାରଣ ନିର୍ଣ୍ଣୟ କରି ତଦନୁଯାୟୀ ନିଜ ନିଜର ରଣକୌଶଳ ପୁନଃନିର୍ଦ୍ଧାରଣ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଡିଜିଟାଲ ମୋଡରେ ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧିର ହାର ଓ କାରଣ ଅଞ୍ଚଳ ଭିତ୍ତିରେ ଭିନ୍ନ ଭିନ୍ନ ହୋଇପାରେ। ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧିର କାରଣ ସହରାଞ୍ଚଳଠାରୁ ଅଲଗା। ପଡୋଶୀ ରାଜ୍ୟ ସହ ସଂଲଗ୍ନ ଅଞ୍ଚଳରେ ସଂକ୍ରମଣ କାରଣ ମଧ୍ୟ ସ୍ୱତନ୍ତ୍ର। ଗ୍ରାମାଞ୍ଚଳ ଅର୍ଥନୈତିକ ଅଭିବୃଦ୍ଧି ଅଞ୍ଚଳରେ ଦ୍ରୁତ ସଂକ୍ରମଣ ପ୍ରତିରୋଧ ପାଇଁ ସ୍ୱତନ୍ତ୍ର କୌଶଳ ଦରକାର। ଏସବୁ ଦୃଷ୍ଟିରୁ ଜିଲ୍ଲାପାଳମାନେ ନିଜ ନିଜର ଜିଲ୍ଲା ପାଇଁ ପ୍ରଯୁଯ୍ୟ ନୂତନ ରଣକୌଶଳ ପ୍ରସ୍ତୁତ କରିବା ଆବଶ୍ୟକ। ଆସନ୍ତା ୧ ସପ୍ତାହ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।
ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଅନ୍ୟ ରୋଗ ଥିବା କୋଭିଡ ପଜିଟିଭ ରୋଗୀମାନେ ଗୁରୁତର ସ୍ଥିତିର ସମ୍ମୁଖୀନ ହେବା ସମ୍ଭାବନା ଅଧିକ। ତେଣୁ ସେମାନଙ୍କୁ ଠିକ୍ ସମୟରେ କୋଭିଡ କେୟାର ସେଣ୍ଟରକୁ ଆଣି ଚିକିତ୍ସା ଯୋଗାଇଦେବା ନିମନ୍ତେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ, ଗୁରୁତର ରୋଗୀମାନଙ୍କ ଚିକିତ୍ସା ବିଷୟରେ ଆବଶ୍ୟକୀୟ ପରାମର୍ଶ ଦେବା ପାଇଁ ବର୍ତ୍ତମାନ ରାଜ୍ୟରେ ଅଭିଜ୍ଞ ମେଡ଼ିକାଲ ପ୍ରଫେସରମାନଙ୍କର ଏକ ବିଶେଷଜ୍ଞ କମିଟି କାର୍ଯ୍ୟ କରୁଛି। ଜିଲ୍ଲାସ୍ତରରେ ଗୁରୁତର ରୋଗୀ ଚିକିତ୍ସା କରୁଥିବା ଡାକ୍ତରମାନେ ଏହି କମିଟି ସହ ସକ୍ରିୟ ଯୋଗାଯୋଗ କରି ମୃତ୍ୟୁହାର କମାଇବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ବିଭିନ୍ନ ଜିଲ୍ଲାର ସଂକ୍ରମଣ ହାର ବିଷୟରେ ତୁଳନାତ୍ମକ ଅନୁଶୀଳନ ଉପସ୍ଥାପନା କରିବା ସହ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ମୁକ୍ତ ବ୍ୟକ୍ତିମାନଙ୍କ ପାଇଁ ‘ହୋମ ଆଇସୋଲେସନ୍’ ବ୍ୟବସ୍ଥା ବ୍ୟାପକ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.