ଅପରାଧିକ ଅଭିଯୋଗ: କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଗିରଫ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୁଇ ପୁଲିସ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ। ଅପରାଧିକ ଅଭିଯୋଗ ଆସିବା ପରେ ଗୋଟିଏ ଦିନରେ ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଛି।
ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି। ସେ ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏସଡିପିଓ ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତରୁ ସତ ଜଣାପଡ଼ିବା ପରେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଜି ତାଙ୍କୁ ଗିରଫ କରାଯାଇଛି। ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆଜି ପୁରୀ ସଦର ଥାନା ଏସ୍‌ଆଇଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି। ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ ଘଟଣାରେ ମହିଳା ଏସ୍‌ଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ମାସରେ ଏକ ଜୁଆ ଆଡ୍ଡା ଉପରେ ଏସ୍‌ଆଇ ଅତସୀ ଜେନା ଚଢ଼ଉ କରିଥିଲେ। ତେବେ ଚଢ଼ଉ ନେଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିଲେ। ଜୁଆ ଆଡ୍ଡାରୁ କେତେ ଟଙ୍କା ଜବତ ହୋଇଥିଲା ଏବଂ ସେହି ଟଙ୍କା କୁଆଡେ ଗଲା ସେ ନେଇ ମଧ୍ୟ କିଛି ସୂଚନା ଦେଇନଥିବାରୁ ତାଙ୍କ ଉପରେ ଆଜି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.