ଆସନ୍ତାକାଲି ଯାଏ ଗୃହ ମୁଲତବୀ, ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ଆଣିବେ ପ୍ରସ୍ତାବ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବାରମ୍ବାର ମୁଲତବୀ ପରେ ଆସନ୍ତାକାଲି ଯାଏ ବିଧାନସଭାକୁ ମୁଲତବୀ କରିଛନ୍ତି ବାଚସ୍ପତି । କାଲି ସରକାର ଦଳ ମୁଖ୍ୟ ସଚେତକ ସ୍କୁଲ ବନ୍ଦ ସଂପର୍କିତ ପ୍ରସ୍ତାବ ଆଣିବେ । ଆଉ ସେ ପ୍ରସ୍ତାବ ଉପରେ ଆଲୋଚନା ହେବ । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ଆଉ କୌଣସି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ । ରାଜ୍ୟରେ ୟୁପି ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ବିରୋଧୀ ହଟ୍ଟଗୋଳ କରିଥିଲେ । ଅପରାହ୍ନ ଅଧିବେଶନରେ ମଧ୍ୟ ଗୃହରେ ବିଜେପି ଓ କଂଗ୍ରେସ ବିଧାୟକ ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ ।
ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଥିବା କାଚରେ ମୁଣ୍ଡ ପିଟିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କଂଗ୍ରେସ ବିଧାୟକ ତାରାବାହିନୀ ପତି ବିଧାନସଭାରେ ଧମକ ଦେଇଥିଲେ । ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ସେ ଆତ୍ମହତ୍ୟା କରିବେ ଏବଂ ବେକ କାଟି ମରିବେ ବୋଲି କହିଥିଲେ । ଏହା ପରେ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡେ ଯିବେ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ।
ସେପଟେ ଏହି ଘଟଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ୧୪ ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଉଦେଶ୍ୟ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ବିରୋଧୀ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡା ଟିପ୍ପଣୀ କରିଛନ୍ତି । ନରସିଂହ କହିଛନ୍ତି ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି ।ସେହିପରି କେବଳ ନିଲମ୍ବନ କଲେ ଚଳିବ ନାହିଁ ହାଜତ ମୃତ୍ୟୁ ପ୍ରସଙ୍ଗରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ଯେ, ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା । ଏହାକୁ ଗୁରୁତର ସହ ବିଚାର କରିବା ଆବଶ୍ୟକ । ତେବେ ଏ ପ୍ରସଙ୍ଗ କୋର୍ଟରେ ବିଚାରଧୀନ ଅଛି, ତେଣୁ ଏହା ଉପରେ ଆଲୋଚନା ହେଲେ ଘଟଣା ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି ଅମର ଶତପଥି କହିଛନ୍ତି ।

Leave A Reply

Your email address will not be published.