ଗୋଲାପ ଫୁଲ ଓ ଗାନ୍ଧୀଜୀଙ୍କ ଫଟୋ ଦେଇ ଲୋକଙ୍କୁ ସଚେତନ କରାଇଲା କଂଗ୍ରେସ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାୟ ପ୍ରତିଦିନ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦରରେ ଅଙ୍କୁଶ ଲଗାଇବାପାଇଁ କଂଗ୍ରେସ ପାର୍ଟି ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦ ଡ଼ାକରାରେ ସାଧାରଣ ଜନତା ଓ ୧୭ ଟି ରାଜନୈତିକ ଦଳ କଂଗ୍ରେସ କୁ ସ୍ୱତଃପ୍ରବୃତ ଭାବେ ସମର୍ଥନ କରିଥିଲେ । କାରଣ ହୁ ହୁ ହୋଇ ବଢ଼ୁଥିବା ତୈଳଦର ସାଧାରଣ ଜନତାଙ୍କୁ ଅତିଷ୍ଠ କରିସାରିଲେଣି । କଂଗ୍ରେସ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିବା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ ଦେଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଓଡିଶାରେ ବ୍ୟାପକ ମାତ୍ରାରେ ଦେଖାଯାଇଛି । ତେବେ ଆଜି ସକାଳୁ କଂଗ୍ରେସ କର୍ମୀମାନେ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ସତସଙ୍ଗବିହାର, ନୟାପଲ୍ଲୀ, ରସୁଲଗଡ, ଏଜିଛକ ଆଦି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ ।

ଆଜି ବିଧାନସଭାରେ ମଧ୍ୟ ଭାରତ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ଆଜି ମୁଖ୍ୟମନ୍ତ୍ରୀ ୪ମିନିଟ ବିଳମ୍ବରେ ଆସି ବିଧାନସଭା ରେ ପହଞ୍ଚିଥିଲେ । କଂଗ୍ରେସର କିଛି ବିଧାୟକ ତେଳ ଦର ବୃଦ୍ଧିକୁ ପ୍ରସଙ୍ଗ କରି ରାଜ୍ୟ ବିଧାନସଭାରେ ହୋହାଲ୍ଲା କରିଥିଲେ । ଏହାକୁ ନେଇ ବାଚସ୍ପତି ପ୍ରଦୀପ ଅମାତ ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ।

ପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ । ସେଇବାଟ ଦେଇ ବିଧାନସଭାକୁ ଆସୁଥିବା ବିଧାୟକ, ମନ୍ତ୍ରୀ, ପୁଲିସ୍ ଅଧିକାରୀ ମାନଙ୍କୁ ଅଟକାଇଥିଲେ।

କଂଗ୍ରେସ କର୍ମୀଙ୍କ ପକ୍ଷରୁ ମନ୍ତ୍ରୀ ଓ ପୋଲିସ୍ ଅଧିକାରୀମାନଙ୍କୁ ଗୋଲାପ ଫୁଲ ଦିଆଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଇପିଏସ୍‌ ଅମିତାଭ ଠାକୁର ଓ ସୁନୀଲ ରାୟଙ୍କ ଗାଡ଼ିକୁ ଅଟକାଇ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଗୋଲାପ ଫୁଲ ଦେଇଥିଲେ । ଏହାପରେ ସେମାନେ ଗାଡିରୁ ଓଲ୍ହାଇ ଚାଲି ଚାଲି ବିଧାନସଭା ଭିତରକୁ ଯାଇଥିଲେ ।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଗୋଲାପ ଫୁଲ ଦିଆଯାଇଥିଲା। ମନ୍ତ୍ରୀ ବାଇକ୍‌ରେ ବିଧାନସଭାକୁ ଆସିଥିଲେ। କେହି କେହି ବିଧାୟକ ଚାଲି ଚାଲି ବିଧାନସଭାକୁ ଆସିଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀମାନେ ଅନେକ ଲୋକଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ବନ୍ଦରେ ସାମିଲ ହେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା।

ଭାରତ ବନ୍ଦ ଯୋଗୁ ଉଭୟ ପଟୁ ପୂର୍ବତଟ ରେଳବାଇ ପକ୍ଷରୁ ୧୦ଟି ଟ୍ରେନ୍‌କୁ ବାତିଲ୍ କରାଯାଇଛି ।

କେନ୍ଦୁଝରଗଡ଼-ଭୁବନେଶ୍ୱର, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର, କଟକ-ପାରାଦୀପ ପାସେଞ୍ଜର, ପୁରୀ-କଟକ ଓ କଟକ-ଭଦ୍ରକ ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି।
ସେହିପରି ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, କଟକ-ଭଦ୍ରକ, ସମ୍ବଲପୁର-ପୁରୀ ଇଣ୍ଟରସିଟି ଓ ପାରାଦୀପ-କଟକ ପାସେଞ୍ଜରକୁ ମଧ୍ୟ ବାତିଲ୍ କରାଯାଇଛି।

କାକଟପୁର ଓ ବାଲେଶ୍ୱର କୁ ଛାଡିଦେଲେ ପ୍ରାୟ ସବୁ ସ୍ଥାନରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ପାଳିତ ହୋଇଥିଲା ।

Leave A Reply

Your email address will not be published.