ଜାନୁଆରୀ ୨୬ରେ ଅଯୋଧ୍ୟା ମସଜିଦର ଶିଳାନ୍ୟାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା ଜାନୁଆରୀ ୨୬ରେ ଅଯୋଧ୍ୟାଠାରେ ପ୍ରସ୍ତାବିତ ମସଜିଦର ଶିଳାନ୍ୟାସ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଆଜକୁ ସାତ ଦଶନ୍ଧି ପୂର୍ବେ ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟକ୍ଷମ ହୋଇଥିବାରୁ ସେହିଦିନ ମସଜିଦର ଶିଳାନ୍ୟାସ କରାଯିବ ବୋଲି ଇଣ୍ଡୋ-ଇସଲାମିକ୍ କଲଚରାଲ ଫାଉଣ୍ଡେସନ (ଆଇଆଇସିଏଫ୍) ସଚିବ ଅତହର ହୁସେନ କହିଛନ୍ତି। ଉକ୍ତ ମସଜିଦ ନିର୍ମାଣ ନିମନ୍ତେ ଆଜକୁ ଛଅମାସ ପୂର୍ବେ ସୁନ୍ନି ୱାକଫ୍ ବୋର୍ଡ ପକ୍ଷରୁ ଆଇଆଇସିଏଫ୍ ଗଠିତ ହୋଇଥିଲା।
ବାବ୍ରୀ ମସଜିଦ-ରାମ ଜନ୍ମଭୂମି ବିବାଦ ପ୍ରସଙ୍ଗ ନେଇ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଘୋଷିତ ଐତିହାସିକ ରାୟ ଫଳରେ ଅଯୋଧ୍ୟାସ୍ଥିତ ବାବ୍ରୀ ମସଜିଦ ଥିବା ସ୍ଥାନରେ ରାମମନ୍ଦିର ନିର୍ମିତ ହେବ। ଅପରପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସୁନ୍ନି ୱାକଫ୍ ବୋର୍ଡକୁ ଅନ୍ୟତ୍ର ୫ ଏକର ଜାଗା ଯୋଗାଇ ଦିଆଯାଇଛି। ଇତିମଧ୍ୟରେ ମସଜିଦ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ ହୋଇସାରିଛି। ତଦନୁଯାୟୀ ମସଜିଦ ପରିସରରେ ମଲଟି-ସ୍ପେଶାଲିଟି ହାସପାତାଳ, କମ୍ୟୁନିଟି କିଚେନ (ଗୋଷ୍ଠୀ ରୋଷେଇଶାଳ), ଲାଇବ୍ରେରୀ ନିର୍ମିତ ହେବ। ଡିସେମ୍ବର ୧୯ରେ ଏହାକୁ ସାର୍ବଜନୀନ କରାଯିବ ବୋଲି ମୁଖ୍ୟ ସ୍ଥପତି ପ୍ରଫେସର ଏମ.ଏମ.ଅଖତର ସୂଚନା ଦେଇଛନ୍ତି। ଉକ୍ତ ମସଜିଦରେ ଏକାସାଙ୍ଗରେ ୨୦୦୦ ଲୋକ ନମାଜ ପାଠ କରିପାରିବେ। ବାବ୍ରୀ ମସଜିଦଠାରୁ ନୂଆ ମସଜିଦର ଆକାର ବଡ ହେବ। ତେବେ ବାବ୍ରୀ ମସଜିଦ ଢାଞ୍ଚାରେ ଏହା ନିର୍ମିତ ହେବ ନାହିଁ ବୋଲି ଅଖତର ସ୍ପଷ୍ଟ କରିଛନ୍ତି।
ମସଜିଦ ପରିସରରେ ଉକ୍ତ ହାସପାତାଳଟି କଂକ୍ରିଟରେ ନୁହେଁ, ବରଂ ଗୋଲାକାର ଗମ୍ଭୁଜ ଶୈଳୀରେ ନିର୍ମିତ ହେବ। ଏଥିରେ ୩୦୦ ଶଯ୍ୟାବିଶିଷ୍ଟ ସ୍ପେଶାଲିଟି ୟୁନିଟ ରହିବ। ଡାକ୍ତର ଓ ବିଶେଜ୍ଞମାନେ ମାଗଣାରେ ରୋଗୀଙ୍କୁ ଚିକିତ୍ସା କରିବେ। ପୁନଶ୍ଚ ଆଖପାଖ ଅଞ୍ଚଳର ଗରିବ ଲୋକଙ୍କୁ ଉତ୍ତମ ମାନର ସୁସ୍ୱାଦୁ ଖାଦ୍ୟ ଯୋଗାଇବାକୁ କମ୍ୟୁନିଟି କିଚେନ୍ ନିର୍ମିତ ହେବ। ମସଜିଦ ନିର୍ମାଣ ପାଇଁ ସରକାରୀ ବ୍ୟବସ୍ଥା ମଧ୍ୟରେ ବିଦେଶରେ ବସବାସ କରୁଥିବା ପ୍ରବାସୀ ମୁସଲମାନ ଭାଇଭଉଣୀଙ୍କଠାରୁ ଅନୁଦାନ ଗ୍ରହଣ କରାଯିବାର ଯୋଜନା ରହିଛି ବୋଲି ହୁସେନ କହିଛନ୍ତି।

Leave A Reply

Your email address will not be published.