ପୁଣି ସାମ୍ନାକୁ ଆସିଲା ବାବାଙ୍କ କେଳେଙ୍କାରୀ; ୨ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁଋଗ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି ଗିରଫ

କର୍ଣ୍ଣାଟକର ପ୍ରଭାବଶାଳୀ ମୁରୁଗ ରାଜେନ୍ଦ୍ର ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି ମୁଋଗ ଶାରନାରୁ ଗିରଫ। ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋକ୍ସୋ ଆକ୍ଟରେ ତାଙ୍କୁ ଗିରଫ କରାଯାଇଛି। ୧୪ ଦିନ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଛି। ଦୀର୍ଘ ଦିନ ଧରି ଯୌନ ଶୋଷଣ କରାଯାଉଥିବା ନେଇ ଦୁଇ ଜଣ ନାବାଳିକା ସନ୍ଥ ଶିବମୂର୍ତ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଶିବମୂର୍ତ୍ତିଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ତେବେ ଏହି ମାମଲାରେ ଉଭୟ ବିଜେପି ଓ କଂଗ୍ରେସ ମୁଁହ ଖୋଲିନାହାଁନ୍ତି। କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଲିଙ୍ଗାୟତ ପୂଜାରୀଙ୍କ ଗିରଫଦାରୀ ଘଟଣା ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇପାରେ। କାରଣ ବିଭିନ୍ନ ସମୟରେ ଲିଙ୍ଗାୟତ ମଠରେ ବିଭିନ୍ନ ରାଜନୈତିକ ଦଳର ନେତା ମନ୍ତ୍ରୀଙ୍କ ଗହଳି ଲାଗେ। ଏହି ମଠ ଦ୍ଵାରା ସମର୍ଥିତ ନେତାଙ୍କର ରାଜନୀତିରେ ଦବଦବା ରହିଛି। ବିଜେପି ନେତା ବିଏସ୍ ୟେଦିୟୁରପ୍ପା ହେଉଛନ୍ତି ଏହାର ଉଦାହରଣ।
ସେପଟେ ଶିବମୂର୍ତ୍ତିଙ୍କ ମାମଲାରେ ପୋଲିସର ନିଷ୍କ୍ରିୟତାକୁ ନେଇ କର୍ଣ୍ଣାଟକ କଂଗ୍ରେସ ନୀରବ ରହିଛି। କାରଣ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ଭୋଟ୍ ବ୍ୟାଙ୍କ୍ ହେଉଛି ଲିଙ୍ଗାୟତ ସମୁଦାୟ। କର୍ଣ୍ଣାଟକରେ ମତଦାତାଙ୍କ ମଧ୍ୟରୁ ପ୍ରାୟ ୧୮ ପ୍ରତିଶତ ହେଉଛନ୍ତି ଲିଙ୍ଗାୟତ ସମୁଦାୟ। କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ମଧ୍ୟ ଏହି ମାମଲାରେ ଚୁପ୍ ଅଛନ୍ତି। ଶିବମୂର୍ତ୍ତି ୨୦୦୫ରେ ସିଦ୍ଧମୈୟାଙ୍କୁ ସମର୍ଥନ କରିଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ମଠ ପରିଦର୍ଶନ କରିବାକୁ ଆସିଥିଲେ।
ତେବେ ଏନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିରପେକ୍ଷ ତଦନ୍ତ ହେବ। ଖୁବ୍ ଶୀଘ୍ର ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ।