ଚିଲିକା ଉପରେ ଉଡାଣ ଭାରି ପଡିଲା ବୈଜୟନ୍ତଙ୍କୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ ସିଜ୍ କଲା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ।ହେଲିକପ୍ଟର ସିଜ୍ କରିବାର କାରଣ ହେଲା ଚିଲିକାର ନୋ ଫ୍ଲାଇଙ୍ଗ୍ ଜୋନରେ ଏହା ଉଡାଇବା । ଏବଂ ଏହା ସହିତ ବୈଜୟନ୍ତଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଢ଼ଙ୍ଗୀ । ଚିଲିକା ଉନ୍ନୟନ କତ୍ତୃପକ୍ଷ ଏସିଏଫ୍ ବିନୋଦ ଆଚାର୍ଯ୍ୟ ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡିବା ନେଇ ପୁରୀ ମେରାଇନ ଥାନାରେ ଅଭିଯୋଗ କରିଥିଲେ । ଏସିଏଫ୍ ବିନୋଦଙ୍କ ଅଭିଯୋଗ ମୁତାବକ ଗତ ୧୫ ତାରିଖ ଦିନ ଅପରାହ୍ନ ୧.୩୦ ମିନିଟ ସମୟରେ ଏକ ଧଳା ରଙ୍ଗର ହେଲିକପଟର ଚିଲିକା ଉପରେ ଉଡିଥିଲା ବୋଲି ଏତଲାରେ ଦର୍ଶାଯାଇଛନ୍ତି । ଏହି ହେଲିକପଟର ନିକଟସ୍ଥ ଅଞ୍ଚଳରେ ଲ୍ୟାଣ୍ଡ କରିବାକୁ ପାଇଲଟ ଚେଷ୍ଟା କରିଥିଲେ ବୋଲି ମଧ୍ୟ କୁହାଯାଇଛି ।

ଏସପି ସାର୍ଥକ ଷଢ଼ଙ୍ଗୀଙ୍କ କହିବା ଅନୁସାରେ ଡିଜିସିଏ ରିପୋର୍ଟ ଆଧାରରେ ତଦନ୍ତରୁ ଜଣାପଡିଥିଲା ଯେ ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଆଉ ୨ଜଣ ମଧ୍ୟ ଥିଲେ । ସେମାନଙ୍କ ବୟାନ ରେକର୍ଡ କରାଯିବ । ଇମ୍ଫାର ପାର୍କିଂ ଅଞ୍ଚଳକୁ ପୋଲିସ ସିଲ୍ କରିଛି । ତଦନ୍ତ ସମୟରେ ଏହା କେତେ ଉଚ୍ଚତାରେ ଉଡୁଥିଲା, ତାହା ଧାର୍ଯ୍ୟ ଉଚ୍ଚତାରୁ ତଳକୁ ଥିଲା ନା ନାହିଁ ଏହା ହେଲିକପ୍ଟରର ବ୍ଲାକବକ୍ସରୁ ମିଳିଥିବା ତଥ୍ୟରୁ ଜଣାପଡିଯିବ ।

ଅପରପକ୍ଷରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ ଟ୍ୱିଟ୍ ରେ କହିଛନ୍ତି କି’ସେ ଉଡାଉଥିବା ହେଲିକପ୍ଟରକୁ ଭୁବନେଶ୍ୱରରେ ଥିବା ଏୟାରପୋର୍ଟ ହ୍ୟାଙ୍ଗରରେ ସିଜ୍ କରାଯାଇଛି’। ସେ ଆହୁରି ମଧ୍ୟ ଲେଖିଛନ୍ତି ‘ଓଡିଶାରେ ଚାରିଆଡେ ବୁଲିବା ଉପରେ କଟକଣା ଲଗାଇବା ପାଇଁ ଖୋଲାଖୋଲି ଭାବେ ଉଦ୍ୟମ କରାଯାଇଛି । ମାତ୍ର ସେମାନେ ମତେ ଅଟକାଇ ପାରିବେ ନାହିଁ’।

Leave A Reply

Your email address will not be published.