ପୁଲିସର ଚିନ୍ତା ବଢାଉଛି ବାଳଅପରାଧୀ, ଜାଣନ୍ତୁ ବର୍ଷକରେ କେତେ ମାମଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅପରାଧୀ ଗ୍ୟାଙ୍ଗରେ ଏବେ ନାବାଳକ । ସହଜ ରୋଜଗାର, ହାଇପ୍ରୋଫାଇଲ ତଥା ବିଳାଶପୂର୍ଣ୍ଣ ଜୀବନଯାପନ ପାଇଁ ନାବାଳକମାନେ ଚୋରି, ଲୁଟ, ଡକାୟତି ଏପରିକି ହତ୍ୟାକାଣ୍ଡ ଭଳି ସଙ୍ଗୀନ ଅପରାଧରେ ସାମିଲ ହେଉଛନ୍ତି । ଅପରାଧଜଗତରେ ନାବାଳକଙ୍କ ପ୍ରବେଶ ଏବେ ମହାମାରୀ ରୋଗ ଭଳି ବ୍ୟାପି ଚାଲିଛି । ୨୦୧୮ ଅପେକ୍ଷା ୨୦୧୯ରେ ବାଳଅପରାଧ ସଂଖ୍ୟା ୮ ପ୍ରତିଶତ ବଢିଛି । ଏଭଳି ନାବାଳକ ଗ୍ୟାଙ୍ଗ ମେଟ୍ରୋସିଟିରେ ପୁଲିସ ପାଇଁ ଦେହସୁହା ହୋଇଥିବା ବେଳେ ଓଡ଼ିଶା ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି ।
ଏନସିଆରବି ତଥ୍ୟ ଅନୁସାରେ, ୨୦୧୯ରେ ରାଜ୍ୟରେ ମୋଟ ୧ଲକ୍ଷ ୨୧ ହଜାର ୫୨୫ଟି ଅପରାଧୀକ ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ୧୧୬୨ଟି ମାମଲା ବାଳ ଅପରାଧଜନିତ ରହିଛି । ୨୦୧୮ରେ ବାଳ ଅପରାଧ ସମ୍ପର୍କିତ ମାମଲା ୧୦୭୮ଟି ଥିଲା । ଏହାକୁ ଅନୁଧ୍ୟାନ କଲେ ୨୦୧୮ ଅପେକ୍ଷା ୨୦୧୯ରେ ବାଳଅପରାଧ ସଂଖ୍ୟା ୮ ପ୍ରତିଶତ ବଢିଛି । ତେବେ ଏହି ୧୧୬୨ଟି ମାମଲା ମଧ୍ୟରେ ୩ଟି ହତ୍ୟା ମାମଲା ଥିବା ବେଳେ ୫୩ଟି ହତ୍ୟା ଉଦ୍ୟମ ଅଭିଯୋଗ ରହିଛି । ସେହିପରି ୯୧୦ ନାବାଳକଙ୍କ ବିରୋଧରେ ଚୋରି ଓ ୧୩୬ ଜଣଙ୍କ ନାଁରେ ଲୁଟ ମାମଲା ରୁଜୁ ହୋଇଛି । ୪ଜଣ ନାବାଳକଙ୍କ ବିରୋଧରେ ଡକାୟତି ମାମଲା ରହିଥିବା ବେଳେ ଦ୍ରୁତଗତି ତଥା ବେପରୁଆ ଗାଡ଼ି ଚାଳନା କରି ୨୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହିତ ମହିଳାଙ୍କୁ ଅସଦାଚରଣ କରିବା ନେଇ ୧୧ ଜଣ ନାବାଳକଙ୍କୁ ଗିରଫ କରାଯାଇ ଜୁଭେନାଇଲ କୋର୍ଟକୁ ପଠାଯାଇଛି।
ତେବେ ପଡୋଶୀ ଛତିଶଗଡରେ ବାଳ ଅପରାଧୀ ସଂଖ୍ୟା ଓଡ଼ିଶା ଠାରୁ ଢେର ଅଧିକ ରହିଛି । ୨୦୧୯ରେ ଛତିଶଗଡରେ ନାବାଳକଙ୍କ ବିରୋଧରେ ୧୬୪୭ଟି ମାମଲା ରୁଜୁ ହୋଇଛି । ଛତିଶଗଡ଼କୁ ବାଦ ଦେଲେ ଅନ୍ୟ ସବୁ ପଡୋଶୀ ରାଜ୍ୟରେ ବାଳ ଅପରାଧ ଢେର କମ୍ ରହିଛି । ପଶ୍ଚିମବଙ୍ଗରେ ୫୦୩ଟି, ଆନ୍ଧ୍ରପ୍ରଦେଶରେ ୮୨୦ ଓ ଝାଡଖଣ୍ଡରେ ମାତ୍ର ୭୬ଟି ମାମଲା ରୁଜୁ ହୋଇଛି । ତେବେ ବାଳଅପରାଧ କ୍ଷେତ୍ରରେ ମଧ୍ୟପ୍ରଦେଶ ସବୁଠାରୁ ଆଗରେ ରହିଥିବା ବେଳେ ମଣିପୁର ସବୁଠାରୁ ପଛରେ ରହିଛି । ମଧ୍ୟପ୍ରଦେଶରେ ୫୫୨୨ଟି ମାମଲା ରୁଜୁ ହୋଇଥିବା ବେଳେ ମଣିପୁରରେ ମାତ୍ର ଦୁଇଟି ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.