୬ଟା ସୁଦ୍ଧା ବାଲେଶ୍ୱରରେ ୭୧ ପ୍ରତିଶତ ଓ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ବାଲେଶ୍ୱରର ୩୦ଟି ଏବଂ ତିର୍ତ୍ତୋଲର ୧୨୦ଟି ବୁଥରେ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱରରେ ୭୧ ପ୍ରତିଶତ ଓ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି। ସଠିକ ମତଦାନ ହାର ପୋଲିଂ ଦଳ ଫେରି ଆସିବା ପରେ ଜଣାପଡିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ଆଜି ମତଦାନ ପୂର୍ବରୁ ମକ ପୋଲ ସମୟରେ ୨ଟି ବାଲଟ ୟୁନିଟ, ୧୯ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୫ଟି ଭିଭିପାଟରେ ତ୍ରୁଟି ପରିଲକ୍ଷିତ ହେବାରୁ ସେଗୁଡିକୁ ବଦଳାଇ ଦିଆଯାଇଥିଲା। ପ୍ରକୃତ ମତଦାନ ସମୟରେ ୨ଟି ବାଲଟ ୟୁନିଟ, ୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୭ଟି ଭିଭିପାଟରେ ତ୍ରୁଟି ପରିଲକ୍ଷିତ ହେବାରୁ ସେଗୁଡିକୁ ତୁରନ୍ତ ବଦଳାଯାଇ ନୂଆ ବାଲଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଏବଂ ଭିଭିପାଟରେ ମତଦାନ ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଲୌଣସି ଅପ୍ରୀତିକର କିମ୍ବା ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇନଥିବା ସେ କହିଛନ୍ତି। ରାଜ୍ୟରେ କରୋନା ମହାମାରୀ ସମୟରେ ନିର୍ବାଚନ ହୋଇଥିବାରୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଶ୍ରୀ ଲୋହାନୀ କହିଛନ୍ତି ଯେ ଗତ ନିର୍ବାଚନରେ ବାଲେଶ୍ୱରରେ ୭୯.୨୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା।

Leave A Reply

Your email address will not be published.