ଧର୍ମେନ୍ଦ୍ରଙ୍କ ଅନୁଗତ ସାବଧାନ !

0

ଓଡିଶା ଫାଷ୍ଟ (ବ୍ୟୁରୋ): କଥାରେ ଅଛି ଘୋଡା ପନ୍ଦର ହାତ ଡେଇଁଲେ, ତା ଦେହରେ ଲାଗିଥିବା ଟିଙ୍କ ମଧ୍ୟ ସେତିକି ବାଟ ଡେଇଁଥାଏ ।କିନ୍ତୁ ଟିଙ୍କ ଯଦି ଏଥିପାଇଁ ଗର୍ବ କରେ ତେବେ କଥା ସରିଲା । ରାଜ୍ୟ ବିଜେପିରେ ମଧ୍ୟ ସ୍ଥିତି ସମାନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ କିଛି ନେତାଙ୍କ ବ୍ୟବହାର ବାହାର ତ ବାହାର, ନିଜ ଦଳର କିଛି ନେତାଙ୍କ ପାଇଁ ହଜମ କରିବା କଷ୍ଟକର ହୋଇପଡିଛି ।
ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ଏମାନେ ଗର୍ବରେ ଏତେ ଫାଟି ପଡିଲେ ଯେ, ୨୦୧୯ ରେ ବିଜେପି ସରକାର କରିବ ବୋଲି ମାତ୍ରାଧିକ ଆତ୍ମବିଶ୍ବାସୀ ହୋଇଗଲେ । ଏପରିକି ସରକାରରେ କିଏ କେଉଁ ବିଭାଗ ପାଇବେ, ତାକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଲେ ।କେବଳ ଟିଭିରେ ମୁଁହ ଦେଖାଇ ବଡ ବଡ କଥା ଗପିବାକୁ ଆରମ୍ଭ କରିଦେଲେ । ବିଜେପୁର ଉପ-ନିର୍ବାଚନରେ ଏମାନଙ୍କୁ କେବଳ ହୋଟେଲରେ ବସି ବୟାନବାଜି କରୁଥିବା ଦେଖିବାକୁ ମିଳିଲା । ଏପରିକି ନିଜର ଗଡ୍ ଫାଦର ଧର୍ମେନ୍ଦ୍ରଙ୍କୁ ମଧ୍ୟ ଏହି ଚାଟୁକାର ମାନେ ଭୂଲ୍ ହିସାବ କିତାବ ଧରେଇଦେଲେ । ଆଉ ଯାହାର ପ୍ରମାଣ ହେଉଛି ବିଜେପୁରର ଫଳାଫଳ ।
ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ମଧ୍ୟ ପରୋକ୍ଷରେ ଧୋକା ଦେଲେ ଏହି ଗୋଷ୍ଠୀ । ୧୨୦ ଆସନ ପାଇଁ ଅମିତ୍ ଦମ୍ଭୋକ୍ତି ରଖିବା ସହ କେମିତି ଏହାକୁ ସାକାର କରାଯିବ ସେଥିପାଇଁ କିଛି ମନ୍ତ୍ର ଦେଇଥିଲେ । କିନ୍ତୁ ଅଧ୍ୟକ୍ଷଙ୍କ କଥା ବଳରେ ବଳୀୟାନ ଏହି ନେତା ସେ ମନ୍ତ୍ର ଭୂଲି ସିଧାସଳଖ ନବୀନଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଦେଲେ । ଫଳରେ ଓଡିଶାବାସୀ ଏମାନଙ୍କ କଥା ଉପରୁ ଆସ୍ଥା ହରାଇବା ଆରମ୍ଭ କଲେ । ଯାହାର ପରିଣାମ ଭୋଗିଲା ବିଜେପି ।
ଏବେ କିନ୍ତୁ ଏମାନଙ୍କ ସବୁ ଫନ୍ଦି ଫିକର କେନ୍ଦ୍ର ନେତୃବୃନ୍ଦ ଜାଣିସାରିଲେଣି । ଏପରିକି ଧର୍ମେନ୍ଦ୍ର ମଧ୍ୟ ବୁଝିଲେଣି ଯେ, ସେ ଭୂଲ୍ ଲୋକଙ୍କ ଉପରେ ଭରଷା କରିଥିଲେ । ଏବେ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ନେତୃତ୍ବ । ରାଜ୍ୟ ପ୍ରଭାରୀ ମଧ୍ୟ ଏମାନଙ୍କ ଚାଲ୍ ବୁଝିପାରିନଥିବାରୁ ନୂଆ ପ୍ରଭାରୀ ନିଯୁକ୍ତି ନେଇ ଆଲୋଚନା ହେଉଛି । ତ୍ରିପୁରାରେ ଦଳକୁ ଆଶାତୀତ ସଫଳତା ଦେଇଥିବା ସୁନିଲ ଦେଓଧରଙ୍କ ପରି ନେତାଙ୍କୁ ଓଡିଶା ଦାୟିତ୍ଵ ଦେବାକୁ ବିଚାର ବିମର୍ଷ ଚାଲିଛି । ଏହି ନେତା ମାନେ ହୁଏତ ଭୂଲିଯାଇଛନ୍ତି ଯେ, ଧର୍ମେନ୍ଦ୍ର ହେଉଛନ୍ତି ମୋଦି ଓ ଶାହାଙ୍କ ପାଇଁ ଲମ୍ବା ରେସର ଘୋଡା । ତେଣୁ ତାଙ୍କର କିଛି ଅସୁବିଧା ହେବାର ସମ୍ଭାବନା କ୍ଷୀଣ । କିନ୍ତୁ ଲୋକଙ୍କ ପାଖକୁ ଯାଇ କାମ ନକଲେ, ୨୦୧୯ ପରେ ଏହି କୁହାଳିଆ ମାନଙ୍କ ସ୍ଥିତି କଣ ହେବ ତାହା ସହଜରେ ଅନୁମେୟ ।

Leave A Reply

Your email address will not be published.