ରାଜଧାନୀ ଗଣଦୁଷ୍କର୍ମ ମାମଲା, କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଜଣେ ୧୩ ବର୍ଷର ନାବାଳିକାକୁ ହୋଇଥିବା ଗଣଦୁଷ୍କର୍ମ ମାମଲା ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚଟିମ୍ ଓଟିଭି ଅଫିସ୍ କୁ ଯାଇ ଖୋଳତାଡ଼ କରିଛନ୍ତି। ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବା ସହ କିଛି ଅଧିକାରୀଙ୍କୁ ଜେରା କରିଛି । ଓଟିଭି ମୁଖ୍ୟ ଜାଗୀମଙ୍ଗତ ପଣ୍ଡାଙ୍କ ବ୍ୟକ୍ତିଗତ ସହାୟକଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚରେ ହାଜିରା ହେବାପାଇଁ ସମନ୍ କରାଯାଇଛି।
ଏହି ମାମଲାରେ ଘରୋଇ ଗଣମାଧ୍ୟମର ୨ କର୍ମଚାରୀ, ୨ ସୁରକ୍ଷାକର୍ମୀ, ରାଉରକେଲାର ଜଣେ ପୁଲିସ ସମେତ ୭ ଜଣ ଅଭିଯୁକ୍ତ ଅଛନ୍ତି ।

ସୂଚନାଥାଉକି, ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଗଣଦୁଷ୍କର୍ମ ଅଭିଯୋଗର ଏତଲା ହେବା ପରେ ପୁଲିସ ୭ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏସଆଇଟି ଏହାର ତଦନ୍ତ କରିବେ ବୋଲି ଡିସିପି ସୂଚନା ଦେଇଥିଲେ । ମାତ୍ର ଇତିମଧ୍ୟରେ ମାସେ ପୂରିସାରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ ।

ପୁଲିସ ଥରେ ଦୁଇଥର ଓଟିଭି ଅଫିସ୍ ଯାଇ ତଦନ୍ତ କରିଥିଲା । ପୀଡ଼ିତାଙ୍କ ୧୬୧ ବୟାନ ରେକର୍ଡ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ପୁଲିସ ତଦନ୍ତ ଗତି ଜଣାପଡ଼ି ନ ଥିଲା । ମାମଲାରେ ଓଟିଭି କର୍ମଚାରୀଙ୍କ ସଂପୃକ୍ତି ଓ ଏମଡିଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠିଥିବାରୁ ପୁଲିସ ଚାପର ବଶବର୍ତ୍ତୀ ହୋଇଥିବା ଚର୍ଚ୍ଚା ହେଉଥିଲା ।

ପୁଲିସ ତଦନ୍ତର ଶିଥିଳତାକୁ ଖୋଦ୍ ହାଇକୋର୍ଟ ପ୍ରଶ୍ନ ଉଠାଇ ତଦନ୍ତ ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଏହି ରିପୋର୍ଟ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇବ୍ରାଞ୍ଚ ହାତକୁ ଚାଲିଯାଇଛି । ଡେରିରେ ହେଉ ପଛେ ଖୋଦ୍ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ଏହି ମାମଲାରେ କମିଶନରେଟ୍ ପୁଲିସ ଉପରେ ସରକାରଙ୍କ ଭରସା ନ ଥିବା ସ୍ପଷ୍ଟ ହେଉଛି ।

ଖୋଦ୍ ରାଜଧାନୀରେ ଜଣେ ୧୩ ବର୍ଷର ନାବାଳିକାକୁ ୭ ଜଣ ଯୁବକ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ପୀଡ଼ିତା ଏବଂ ତାଙ୍କ ମାଆ ସିଧାସଳଖ ଅଭିଯୁକ୍ତମାନଙ୍କ ନାଁ ନେଇଛନ୍ତି । ଓଟିଭି ଏମଡିଙ୍କ ସହ ତାଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ୍ ହୋଇଛି । ମାତ୍ର ଏତେସବୁ ପରେ ବି ମୁଖ୍ୟ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗ ଉପରେ ପାଟି ନ ଖୋଲିବା ସମସ୍ତଙ୍କୁ ଚକିତ କରିଛି ।

ସେପଟେ ପୀଡ଼ିତାଙ୍କ ମାଆ ନ୍ୟାୟଭିକ୍ଷା କରି ମହିଳା ଶିଶୁ ଅଧିକାର ସୁରକ୍ଷା କମିଶନ ଏବଂ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ । ଓଲଟି ମହିଳା କମିଶନ ଅଧ୍ୟକ୍ଷା ଏବେ ଏବେ ଓଟିଭିର ପିଠି ଥାପୁଡ଼ିବା ଆରମ୍ଭ କରିଛନ୍ତି ।

Barta
Sikhsya

Leave A Reply

Your email address will not be published.