ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ୍’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ୍’ । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳମୁହାଁ ହେଉଛି ‘ଅମ୍ଫାନ୍’ । ପୂର୍ବ ନିର୍ଦ୍ଧାରିତ ପଥ ଉତ୍ତର- ପୂର୍ବ ଦିଗରେ ‘ଅମ୍ଫାନ୍’ ଗତି କରୁଛି । ୨୦ ତାରିଖ ସନ୍ଧ୍ୟାରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ । ବର୍ତ୍ତମାନ ବାତ୍ୟା ଅମ୍ଫାନ ପାରାଦୀପଠାରୁ ମାତ୍ର ୪୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ସ୍ଥଳଭାବ ଛୁଇଁବା ବେଳକୁ ଏହାର ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୮୫ ରହିବ ବୋଲି ଆଶଙ୍କା କରାଯାଉଛି ।

 ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ  ଏହି ଦିଗକୁ ଧ୍ୟାନ ଦିଅନ୍ତୁ

. ଦୁର୍ବଳ ଘରେ ରହୁଥିଲେ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ ।

. ପରିବାରର ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତୁ ।

. ଅତି ଜରୁରୀ ନଥିଲେ ଦୂରସ୍ଥାନକୁ ଯାତ୍ରା କରନ୍ତୁନାହିଁ ।

. ପାଓ୍ବାର କଟ୍ ହେବାର ସମ୍ଭାବନା ଥିବାରୁ ଘରେ ମହମବତୀ, କିରୋସିନି ମହଜୁଦ ରଖନ୍ତୁ । ଚାର୍ଜର ଲାଇଟ୍ ଥିଲେ ଫୁଲ୍ ଚାର୍ଜ କରି କରନ୍ତୁ । ମୋବାଇଲକୁ ମଧ୍ୟ ଫୁଲ୍ ଚାର୍ଜ କରି ରଖନ୍ତୁ ।

. ଜରୁରୀ ଔଷଧ, ଶୁଖିଲା ଖାଦ୍ୟ ଏବଂ ଦିନେ ଦୁଇ ଦିନ ପାଇଁ ରାସନ କିଣି ପାଖରେ ମହଜୁଦ ରଖନ୍ତୁ ।

. ବନ୍ୟା ଓ ବାତ୍ୟା ସମୟରେ ବିଷଧର ସରୀସୃପ ବାହାରକୁ ବାହାରିଥାନ୍ତି ଓ ଘର ଭିତରକୁ ମଧ୍ୟ ପଶି ଯାଇପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ ।

. ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଉପଦେଶକୁ ମାନନ୍ତୁ । ଜରୁରୀକାଳୀନ ଟେଲିଫୋନ ନମ୍ବର ପାଖରେ ରଖନ୍ତୁ । ନିୟମିତ ବାତ୍ୟା ସଂପର୍କୀତ ଅପଡେଟ୍ ଖବର ରଖିବାକୁ ଚେଷ୍ଟା କରନ୍ତୁ ।

. ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ନବାନ୍ଧି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ ଓ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ଲାଗି ଖାଦ୍ୟ ମହଜୁଦ ରଖନ୍ତୁ ।

. ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟଜଳ ମଧ୍ୟ ଘରେ ମହଜୁଦ ରଖନ୍ତୁ ।

. ଘରେ ପାଣି ପଶିବାର ସମ୍ଭାବନା ଥିଲେ ଜରୁରୀ କାଗଜପତ୍ର ଏବଂ ଟଙ୍କାପଇସା ଜରିରେ ଭର୍ତ୍ତି କରି ଉଚ୍ଚସ୍ଥାନରେ ରଖନ୍ତୁ । ଏଟିଏମରୁ କିଛି ନଗଦ ଟଙ୍କା ବାହାର କରି ନିଜ ପାଖରେ ରଖନ୍ତୁ ।

. ଗାଡି ମଟର ଥିଲେ ସେଥିରେ ପେଟ୍ରୋଲ, ଡିଜେଲ ଭର୍ତ୍ତି କରି ରଖନ୍ତୁ । ଆବଶ୍ୟକତା ଦୃଷ୍ଟିରୁ ଯାତାୟତ କରୁଥିବା ବେଳେ ଜୋରରେ ପବନ ବହିଲେ ଗଛ ବା ଖୁଣ୍ଟଠାରୁ ଦୂରକୁ ପଳାନ୍ତୁ ।

. ସାହିପଡିଶାଙ୍କ ସହ ଯୋଗାଯୋଗରେ ରୁହନ୍ତୁ । ଏହି ସମୟରେ ଗୁଜବ ଉଠିବାର ଆଶଙ୍କା ରହିଥାଏ ତେଣୁ ଗୁଜବକୁ ବିଶ୍ବାସ କରନ୍ତୁନାହିଁ । କେବଳ ସରକାରୀ ଘୋଷଣାକୁ ଗୁରୁତ୍ବ ଦିଅନ୍ତୁ ।

. ବାତ୍ୟା ଦେଖିବା ପାଇଁ ଉତ୍ସୁକ ହୋଇ ସମୁଦ୍ରକୂଳକୁ ଯାଆନ୍ତୁନାହିଁ । ପବନର ବେଗ ବଢିଲେ ଘରର ଝରକା କବାଟ ଭଲଭାବେ ବନ୍ଦ କରି ରଖନ୍ତୁ । ଘରକୁ ଲାଗି ଦୁର୍ବଳ ଗଛ ଥିଲେ ତାହା ଯେମିତି ଭାଙ୍ଗି ନଯାଏ ସେଥିପ୍ରତି ସଜାଗ ରୁହନ୍ତୁ । ଗଛକୁ ଶକ୍ତ ଦଉଡିରେ ଚାରିପଟୁ ବାନ୍ଧି ରଖନ୍ତୁ ।

Leave A Reply

Your email address will not be published.