ଓଡ଼ିଶା ଫାଷ୍ଟ (ପ୍ରଗତି ରଞ୍ଜନ ମହାନ୍ତି): ବିଜେପୁର ଉପ ନିର୍ବାଚନ ପାଇଁ ରାଜନୀତି ବେଶ ସରଗରମ ଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଦେଇଛନ୍ତି।ପୂର୍ବରୁ ବିଜେଡି ବିଜେପୁର ଦଖଲ କରିବ, ଯଦି ବିଜେଡି ହାରିବ ତେବେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିବା ମହାରଥୀ ଆଜି ପୁଣି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଜେଡି ବିଜେପୁରରେ ବିପୁଳ ସଂଖ୍ୟାରେ ଜିତିବ । ଯଦି ବିଜେଡି ନଜିତିବ ତେବେ ୨୮ ସଂଧ୍ୟାରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଆସନ୍ତାକାଲି ୨୦ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାର କରିବାକୁ ଥିବା ବେଳେ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରଚାର ମଇଦାନକୁ ଓହ୍ଲାଇବେ। ପ୍ରଚାରକୁ ନେଇ ଶ୍ରୀ ମହାରଥୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନ କୁ ଆସିଲେ ଲୋକ ସଂପର୍କ ବଢିବା ସହିତ ଭୋଟ୍ ମଧ୍ୟ ବଢିବ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀକୁ ଓଡ଼ିଶାରେ କେହି ଚିହ୍ନନ୍ତିନାହିଁ । ନବୀନଙ୍କ ଲୋକପ୍ରିୟତା ଆଗରେ ଧାଡିହୋଇ ମାଡ଼ିଆସୁ ଥିବା କେନ୍ଦ୍ରମନ୍ତ୍ରୀ ମନେ ଫୁଲ ପରି ମଉଳି ଝଡିପଡିବେ।