‘ବିହାରରେ ବିଜୟର ରହସ୍ୟ ସବ୍ କା ବିକାଶ’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ନିର୍ବାଚନରେ ବିଜେପିର ଉଲ୍ଲେଖନୀୟ ବିଜୟର ଗୋପନ ରହସ୍ୟ ହେଉଛି ‘ସବ୍ କା ସାଥ୍, ସବ୍ କା ବିକାଶ ଓ ସବକା ବିଶ୍ୱାସ’। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳ ପକ୍ଷରୁ ବୁଧବାର ସଂଧ୍ୟାରେ ଆୟୋଜିତ ବିଜୟ ପର୍ବ ସମାରୋହରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। କେବଳ ବିହାର ନୁହେଁ ମଧ୍ୟପ୍ରଦେଶ, ଗୁଜରାଟ ଏପରିକି ତେଲେଙ୍ଗାନା ଓ ଲଦାଖରେ ଉପନିର୍ବାଚନରେ ମଧ୍ୟ ଦଳ ଆଶାତୀତ ସଫଳତା ହାସଲ କରିଛି। ବିଜେପି ଚାରିଆଡେ ବିଜୟୀ ହୋଇଛି ବୋଲି ମୋଦୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ୧୧ ରାଜ୍ୟର ୫୮ ଆସନରୁ ବିଜେପି ୫୦ରୁ ଉଦ୍ଧ୍ୱର୍ ଆସନରେ ବିଜୟୀ ହୋଇଛି। ଦଳୀୟ ମୁଖ୍ୟାଳୟରେ ବିପୁଳ ସଂଖ୍ୟାରେ ସମବେତ ହୋଇଥିବା ବିଜେପି କର୍ମୀଙ୍କ ଜୟଧ୍ୱନୀ ମଧ୍ୟରେ ମୋଦୀ କହିଲେ, ୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପି ପୁଣି ଶାସନ କରିବାକୁ ୨୦୧୪ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟାରେ ଆସନ ହାସଲ କଲା। ଏକଦା ବିଜେପିର ଲୋକସଭାରେ ୨ ଜଣ ସାଂସଦ ଥିଲେ। ଆଜି ଦେଶର ଚାରିଆଡେ ବିଜେପିର ବିଜୟବାନା ଉଡୁଛି।

ଏହି ସମୟରେ ଦଳୀୟ କର୍ମୀମାନେ ‘ମୋଦୀ ହୈ ତୋ ମୁମକିନ୍ ହୈ’ ନାରା ଦେଇଥିଲେ। ଜନସାଧାରଣ ବିଜେପି ପ୍ରତି ପୂର୍ଣ୍ଣ ଆସ୍ଥାପ୍ରକଟ କରି ବିପୁଳ ସମର୍ଥନ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଉଲ୍ଲେଖଯୋଗ୍ୟ ଯେ ସାଧାରଣ ନିର୍ବାଚନ ପରେ ବିହାରରେ ବିଜେପି ଏକ ବଡ ଧରଣର ବିଜୟ ହାସଲ କରିଛି। ଏହା ଫଳରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିହାରରେ ନିତିଶ କୁମାରଙ୍କ ନେତୃତ୍ୱରେ ପୁଣି ସରକାର ଗଠନ କରିବାକୁ ଯାଉଛି। ବିହାରରେ ବିଜେପିର ଉଲ୍ଲେଖନୀୟ ବିଜୟ ପାଇଁ ମୋଦୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରସାଦ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ବିଜୟ ପର୍ବ ସମାରୋହରେ ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍ ଶାହ, ନିତିନ୍ ଗଡକରୀ, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ଶେଖୱତ୍, ପିୟୁଷ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। ନଡ୍ଡା ମଧ୍ୟ ଦଳୀୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.